ଶ୍ରାଦ୍ଧ ଦିବସରେ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଓଡ଼ିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଦିବଙ୍ଗତ ଚିତ୍ରଶିଳ୍ପୀ ବସନ୍ତ ପଣ୍ଡାଙ୍କ ଶ୍ରାଦ୍ଧ ଦିବସ ସଂସ୍କୃତି ଭବନ ପରିସରରେ ପାଳନ କରାଯାଇଛି । ଶ୍ରାଦ୍ଧ ଦିବସ ଅବସରରେ ବିଶିଷ୍ଟ କଳା ଐତିହାସିକ ତଥା ବିଭୁତି କାନୁନଗୋ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ ଅଲେଖ ଚରଣ ସାହୁ ଓ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟ ତଥା ଚିତ୍ରଶିଳ୍ପୀ ବିଜୟ ପରିଡ଼ା ପ୍ରମୁଖ ଅତିଥ୍‌ ରୂପେ ଯୋଗ ଦେଇ ଶିଳ୍ପୀଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଅତିଥିମାନେ ଶିଳ୍ପୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବସନ୍ତ ପଣ୍ଡା ଓଡ଼ିଶାର କଳା ଆନ୍ଦୋଳନର ଜଣେ ଆଦ୍ୟ ଶିଳ୍ପୀ । ବସନ୍ତ ପଣ୍ଡାଙ୍କ କଳାଶିକ୍ଷା କୋଲକାତା ଆର୍ଟ ସ୍କୁଲରେ ହୋଇଥିଲା । ସେଠାରେ ପାଠପଢା ସମୟରେ ସେ କଳାକ୍ଷେତ୍ରରେ ନିଜର ପ୍ରତିଭାର ବିକାଶ କରିଥିଲେ ଏବଂ କୋଲକାତା ଆର୍ଟ ସ୍କୁଲର ସର୍ବଶ୍ରେଷ୍ଠ ଛାତ୍ର ମାନ୍ୟତା ପାଇଥିଲେ ଏବଂ ପରେ ପରେ ନିଜର ସୃଜନଶୀଳ ପାରଦର୍ଶୀତା ପାଇଁ ଗୋଲ୍ଡ ମେଡାଲ ମଧ୍ୟ ପାଇଥିଲେ । ଜଣେ ଆର୍ଟ ଟିଚର ଭାବରେ ସେ କିଛି ବର୍ଷ ପୁରୀ , ୮ ବର୍ଷ ବାଲେଶ୍ବର , ଜୀବନର ଶେଷ ପର୍ଯ୍ୟନ୍ତ କଟକ ସେକେଣ୍ଡାରୀ ଟ୍ରେନିଂ ସ୍କୁଲରେ କଳା ଶିକ୍ଷକ ଭାବେ ନିଯୁକ୍ତ ଥିଲେ । ୧୯୩୫ ରେ ସାତଟି ରୌପ୍ୟ ପଦକ ପାଇଥିବା ବେଳେ ୧୯୪୭ ରେ ଆକାଡେମୀ ଅଫ୍ ଫାଇନ ଆର୍ଟ ରୁ କ୍ୟାସ ଆୱାର୍ଡ ସହ ପଦକ ପାଇବାର ହକଦାର ହୋଇଥିଲେ । ସେ ମଧ୍ୟ ନିଜର ସୃଜନଶୀଳ କଳା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ସହ ଏକାଡେମୀର ଜେନେରାଲ କାଉନସିଲର ସଦସ୍ୟ ରହି ଓଡ଼ିଶା କଳାକ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଚିତ୍ରରେ ଓଡ଼ିଶାର ଜନ ଜୀବନ ପରମ୍ପରା ଏବଂ ଓଡ଼ିଆପଣ ବାରି ହୋଇଉଠେ । ଜଳରଙ୍ଗ ଚିତ୍ର ଏବଂ ପାରମ୍ପରିକ ଭାରତୀୟ ଚିତ୍ର ଶୈଳୀରେ ସୃଜନଶୀଳ ଢଙ୍ଗରେ ଉପସ୍ଥାପନା କରିବା ତାଙ୍କର ବୈଚିତ୍ର ଯୁବ ଚିତ୍ରଶିଳ୍ପୀମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

Comments are closed.