୫-ଟି ଅଧ୍ୟକ୍ଷଙ୍କ ପଲିଟିକାଲ ଏଣ୍ଟ୍ରି: ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର – ରାଜନୀତିରେ ପାଦ ଥାପିଛନ୍ତି ଲୋକପ୍ରିୟ ପୂର୍ବତନ ଆଇଏଏସ ଅଫିସର ତଥା ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ୫-ଟି ଅଧ୍ୟକ୍ଷ । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ପୂର୍ବତନ ୫-ଟି ସଚିବ । ନବୀନ ନିବାସରେ ବରିଷ୍ଠ ବିଜେଡି ନେତାମାନଙ୍କ ବୈଠକ ପରେ ଭି.କେ ପାଣ୍ଡିଆନ ଦଳରେ ଯୋଗ ଦେଇଛନ୍ତି। ଗତମାସରେ ଚାକିରିରୁ ସ୍ବେଛାକୃତ ଅବସର ନେଇଥିଲେ ପାଣ୍ଡିଆନ ।

ରାଜନୀତିରେ ପ୍ରବେଶ ସହ ନିଜ ଘଟଣା ବହୁଳ କ୍ୟାରିୟରର ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୋପାନରେ ପହଞ୍ଚିଛନ୍ତି ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଓଡ଼ିଶା ଓ ରୂପାନ୍ତରଣ ଯୋଜନାର ସଫଳ ରୂପାୟନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ଉପରେ ଏବେ ରହିବ ଦଳକୁ ଆଗାମୀ ନିର୍ବାଚନ ବୈତରଣୀ ପାର କରିବାର ଗୁରୁ ଦାୟିତ୍ବ।
ସୂଚନାଯୋଗ୍ୟ ଯେ,ଗତମାସରେ ପାଣ୍ଡିଆନ ଚାକିରିରୁ ସ୍ବେଛାକୃତ ଅବସର ନେଇଥିଲେ। ଅବସରର ଦିନକ ପରେ ତାଙ୍କୁ ୫-ଟି ଉପକ୍ରମ ଓ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ର ଅଧ୍ୟକ୍ଷ ଭାବେ ଭି.କେ ପାଣ୍ଡିଆନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ଏକ କ୍ୟାବିନେଟ ର୍ୟାଙ୍କର ପଦବୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ପୂର୍ବତନ ଆଇଏଏସ ଅଫିସରଙ୍କ ପଲିଟିକାଲ ଏଣ୍ଟ୍ରି ସହ ବିଜେଡିରେ ନୂଆ ଯୁଗର ସୂତ୍ରପାତ ଆରମ୍ଭ ହୋଇଛି। ନବୀନ ନିବାସରୁ ଏବେ ଶଙ୍ଖ ଭବନ ଯିବେ ଭି.କେ ପାଣ୍ଡିଆନ । ଶଙ୍ଖ ଭବନରେ ସେ ରକ୍ତଦାନ ଶିବିରରେ ଯୋଗଦେବେ । ପରେ ସେ ଗଞ୍ଜାମ ଆସି ତାରାତାରିଣୀ ମନ୍ଦିର ପରିଦର୍ଶନ କରି ମା’ଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.