ଗଜପତି ପରେ ରାୟଗଡା ଜିଲ୍ଲାରେ ପ୍ରବେଶ କଲା ମହାରାଷ୍ଟ୍ରରୁ ଆସିଥିବା ମହାବଳ, ବନ ବିଭାଗର ସତର୍କତା | News Room Odisha

ଗଜପତି ପରେ ରାୟଗଡା ଜିଲ୍ଲାରେ ପ୍ରବେଶ କଲା ମହାରାଷ୍ଟ୍ରରୁ ଆସିଥିବା ମହାବଳ, ବନ ବିଭାଗର ସତର୍କତା

ରାୟଗଡା – ମହାରାଷ୍ଟ୍ର ଜଙ୍ଗଲରରୁ ପଳାଇ ଆସିଥିବା ମହାବଳ ବାଘର ଗଜପତି ଜିଲ୍ଲା ପରେ ରାୟଗଡ଼ାରେ ଦୃଶ୍ୟମାନ ହୋଇଛି । ମହାବଳ ବାଘଟି ମହାରାଷ୍ଟ୍ରର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଗଜପତି ଜିଲ୍ଲାରେ ବୁଲୁଥିବା ବେଳେ ଏବେ ରାୟଗଡ଼ା ଜଙ୍ଗଲକୁ ଯାଇଥିବା ବନ ବିଭାଗ ଅନୁମାନ କରୁଛି । ଗତକାଲି ସଂନ୍ଧ୍ୟାରେ ମହାବଳ ଆର.ଉଦୟଗିରି ସୀମା ଅତିକ୍ରମ କରି ରାୟଗଡାରେ ପ୍ରବେଶ କରିଥିବା ନେଇ ଗୁଣୁପୁର ରେଞ୍ଜକୁ ସତର୍କ କରି ଦିଆଯାଇଛି ।

ଗଜପତି ଓ ରାୟଗଡ଼ା ସୀମାରେ ପାଟ୍ରୋଲିଂକୁ ବଢାଇବା ସହ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଥିବାବେଳେ ବାଘ ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍ । ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଡେରାଡୁନ ସ୍ଥିତ ଜାତୀୟ ବନ୍ୟଜୀବ ବିଭାଗକୁ ପଠାଯାଇଥିଲା । ବୁଲୁଥିବା ବାଘ ପୁରୁଷ ବାଘ ବୋଲି ଜଣାପଡିଛି ।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି । ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି ।