ଉତ୍ତରକାଶୀ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ସଫଳ ହୋଇଛି ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ। ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ନିର୍ମାଣାଧୀନ ସିଲକ୍ୟାରା ଟନେଲ ଭିତରେ ଫସି ରହିବା ପରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି। ଆଶ୍ବସ୍ତ ହୋଇଛନ୍ତି ଶ୍ରମିକଙ୍କ ପରିବାର ଲୋକ ଓ ଦେଶବାସୀ। ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକଙ୍କ ମଧ୍ୟରୁ ୩୩ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଅବଶିଷ୍ଟ ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଆଉ କିଛି ମିନିଟ୍ ମଧ୍ୟରେ ଉଦ୍ଧାର କାର୍ଯ୍ୟ ଶେଷ ହେବ।
ଉଦ୍ଧାର ଶ୍ରମିକ ମାନଙ୍କ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ସେମାନଙ୍କୁ ଚିନ୍ୟାଲିସୌର ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ଉଦ୍ଧାର ସ୍ଥଳରେ ୪୧ ଆମ୍ବୁଲାନ୍ସ ସହ ଡ଼ାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ସେନାର ଏକ ହେଲିକପ୍ଟର ବି ଷ୍ଟାଣ୍ଡବାଏରେ ରଖାଯାଇଛି ।
ଶ୍ରମିକ ଫସିଥିବା ସ୍ଥାନ ପର୍ଯ୍ୟନ୍ତ ପାଇପ୍ ବିଛା କାମ ମଙ୍ଗଳବାର ସନ୍ଧ୍ୟା ୭.୦୫ରେ ଶେଷ ହୋଇଥିଲା । ଏହାପରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଶ୍ରମିକଙ୍କୁ ବାହାର କରିବା ପାଇଁଁ ଭିତରେ ପଶିଥିଲେ ।
ଚାରିଧାମ ଯାତ୍ରା ମାର୍ଗରେ ନିର୍ମାଣ କରାଯାଉଥିବା ଟନେଲର ଏକ ଅଂଶ ନଭେମ୍ବର ୧୨ରେ ଭୁଶୁଡ଼ି ପଡ଼ିବାରୁ ଏଥିରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ ।
ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଦେଶର ବିଭିନ୍ନ ସଂସ୍ଥାଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏପରିକି ଅନ୍ତର୍ଜାତୀୟ ବିଶେଷଜ୍ଞ ମାନଙ୍କ ସହାୟତା ବି ନିଆଯାଇଥିଲା । ଶ୍ରମିକ ମାନଙ୍କୁ ବଞ୍ଚାଇବା ଅଭିଯାନରେ ଉଦ୍ଧାରକାରୀ ଟିମକୁ ନାନା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା । ଟନେଲ୍ ମୁହଁରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ଥିଲା ୬୦ ମିଟର। ଆମେରିକୀୟ ମେସିନ୍ ଦ୍ବାରା ୪୮ ମିଟର ଯାଏଁ ଭୂସମାନ୍ତର ଡ୍ରିଲିଂ ପରେ ମେସିନର ବ୍ଲେଡ୍ ଭାଙ୍ଗି ଯିବାରୁ ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କୁ ଡକା ଯାଇଥିଲା । ଗତକାଲି ଠାରୁ ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଅବଶିଷ୍ଟ ୧୨ ମିଟର ପର୍ଯ୍ୟନ୍ତ ମାନୁଏଲ୍ ଡ୍ରିଲିଂ କରିବା ଆରମ୍ଭ କରିଥିଲେ । ଆଜି ସନ୍ଧ୍ୟା ୭.୦୫ରେ ପୂରା ୬୦ ମିଟର ଡ୍ରିଲିଂ ସହ ଏସ୍କେପ୍ ପାଇପ୍ ପକାଇବା କାମ ଶେଷ ହେବା ପରେ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
Comments are closed.