୧୭ ଦିନ, ୧୩ ଘଣ୍ଟା ଓ ୩୦ ମିନିଟର ଅକ୍ଲାନ୍ତ ପରିଶ୍ରମ ପରେ ଟନେଲରୁ ବାହାରିଲେ ସମସ୍ତ ୪୧ ଶ୍ରମିକ, ଦେଶସାରା ଖୁସିର ଲହରୀ

ଉତ୍ତରକାଶୀ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି। ସଫଳ ହୋଇଛି ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ। ସମସ୍ତଙ୍କ ପ୍ରାର୍ଥନାର ସୁଫଳ ମିଳିଛି । ଦୀର୍ଘ ୧୭ ଦିନ ପରେ ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲ ଭିତରୁ ଉଦ୍ଧାର ହୋଇଛନ୍ତି ୪୧ ଶ୍ରମିକ । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ବି ୫ ଜଣ ଶ୍ରମିକ ଅଛନ୍ତି। ମରଣ ମୁହଁରୁ ନୂଆ ଜୀବନ ପାଇ ଫେରିଛନ୍ତି ଶ୍ରମିକ । ୧୭ ଦିନ, ୧୩ ଘଣ୍ଟା ଓ ୩୦ ମିନିଟର ଅକ୍ଲାନ୍ତ ପରିଶ୍ରମ ପରେ ମଙ୍ଗଳବାର ସଫଳତାର ସହ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ । ଶ୍ରମିକଙ୍କ ପରିବାର ଲୋକ ଆଶ୍ବସ୍ତ ହୋଇଥିବା ବେଳେ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି ।

ରାତି ପ୍ରାୟ ୮ଟାରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ମାତ୍ର ୩୦ ମିନିଟ୍ ମଧ୍ୟରେ ସମସ୍ତ ୪୧ ଶ୍ରମିକଙ୍କୁ ସଫଳତାର ସହ ବାହାର‌ କରାଯାଇଥିଲା ।

ଶ୍ରମିକଙ୍କ ଉଦ୍ଧାର ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର‌ ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ଉପସ୍ଥିତ ଥିଲେ । ସୁଡ଼ଙ୍ଗରୁ ସମସ୍ତ ୪୧ ଶ୍ରମିକ ବାହାରିବା ପରେ ଉପସ୍ଥିତ ଲୋକ ‘ଭାରତ ମାତା କି ଜୟ’ ଓ‌ ‘ହର ହର ମହାଦେବ’ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ବାଣ୍ଟିଥିଲେ ।

ଉଦ୍ଧାର ପରେ ଶ୍ରମିକ ମାନଙ୍କୁ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ସେମାନଙ୍କୁ ଚିନ୍ୟାଲିସୌର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏଥିପାଇଁ ଉଦ୍ଧାର ସ୍ଥଳରେ ୪୧ ଆମ୍ବୁଲାନ୍ସ ସହ ଡ଼ାକ୍ତରୀ ଦଳ‌ ପୂର୍ବରୁ ପ୍ରସ୍ତୁତ ରହିଥିଲେ।

ଶ୍ରମିକ ଫସିଥିବା ସ୍ଥାନ ପର୍ଯ୍ୟନ୍ତ ପାଇପ୍ ବିଛା କାମ ମଙ୍ଗଳବାର ସନ୍ଧ୍ୟା ୭.୦୫ରେ‌ ଶେଷ ହୋଇଥିଲା । ଏହାପରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ଶ୍ରମିକଙ୍କୁ ବାହାର କରିବା‌ ପାଇଁଁ ଭିତରେ ପଶିଥିଲେ ।

ଚାରିଧାମ ଯାତ୍ରା ମାର୍ଗରେ ନିର୍ମାଣ କରାଯାଉଥିବା ଟନେଲର ଏକ ଅଂଶ ନଭେମ୍ବର ୧୨ରେ ଭୁଶୁଡ଼ି ପଡ଼ିବାରୁ ଏଥିରେ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଭିତରେ ଫସି ଯାଇଥିଲେ ।

ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଦେଶର ବିଭିନ୍ନ ସଂସ୍ଥାଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଅନ୍ତର୍ଜାତୀୟ ବିଶେଷଜ୍ଞ ମାନଙ୍କ ସହାୟତା ବି ନିଆଯାଇଥିଲା । ଶ୍ରମିକ ମାନଙ୍କୁ ବଞ୍ଚାଇବା ଅଭିଯାନରେ ଉଦ୍ଧାରକାରୀ ଟିମକୁ ନାନା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା । କେତେବେଳେ ଡ୍ରିଲିଂ ମେସିନ୍ ଅଚଳ ହେଉଥିଲା ତ ଆଉ କେତେବେଳେ ଏସ୍କେପ୍ ପାଇପ୍ ଭାଙ୍ଗି ଯାଉଥିଲା । ହେଲେ ଉଦ୍ଧାରକାରୀ ଟିମ୍ ଧୈର୍ଯ୍ୟ ହାରିନଥିଲେ । ଟନେଲ୍ ମୁହଁରୁ ଶ୍ରମିକ ଫସିଥିବା ସ୍ଥାନର ଦୂରତା ଥିଲା ୬୦ ମିଟର। ଆମେରିକୀୟ ମେସିନ୍ ଦ୍ବାରା ୪୮ ମିଟର ଯାଏଁ ଭୂସମାନ୍ତର ଡ୍ରିଲିଂ ପରେ ମେସିନର ବ୍ଲେଡ୍ ଭାଙ୍ଗି ଯିବାରୁ ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କୁ ଡକା ଯାଇଥିଲା । ଗତକାଲି ଠାରୁ ର଼୍ୟାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଅବଶିଷ୍ଟ ୧୨ ମିଟର ପର୍ଯ୍ୟନ୍ତ ମାନୁଏଲ୍ ଡ୍ରିଲିଂ କରିବା ଆରମ୍ଭ କରିଥିଲେ । ଆଜି ସନ୍ଧ୍ୟା ୭.୦୫ରେ ପୂରା ୬୦ ମିଟର ଡ୍ରିଲିଂ ସହ ଏସ୍କେପ୍ ପାଇପ୍ ପକାଇବା କାମ ଶେଷ ହେବା ପରେ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

Comments are closed.