ଉତ୍ତରାଖଣ୍ଡ ଟନେଲରୁ ୫ ଓଡ଼ିଆଙ୍କ ସମେତ ୪୧ ଶ୍ରମିକ ଉଦ୍ଧାର : ଆଶ୍ୱସ୍ତି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଉଦ୍ଧାରକାରୀ ଦଳକୁ ଜଣାଇଲେ ଧନ୍ୟବାଦ

ଡେରାଡୁନ /ଭୁବନେଶ୍ୱର – ଦୀର୍ଘ ୧୭ ଦିନ ଫସିରହିବା ପରେ ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲ୍କୟାରା ସୁଡଙ୍ଗରୁ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ । ଟନେଲ ଭୁଶୁଡ଼ି ପଡ଼ିବା ଯୋଗୁଁ ୪୧ ଜଣ ଶ୍ରମିକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଚାଲିଥିବା ପ୍ରୟାସ ଆଜି ସଫଳ ହୋଇଛି । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ପରିବାରବର୍ଗଙ୍କ ସହ ସାରା ଦେଶ ଆଶ୍ୱସ୍ତ ହୋଇଛି । ସବୁ ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଖୁସି ବ୍ୟକ୍ତ କରିବା ସହ ଉଦ୍ଧାରକାରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ଏଥିସହ ବିଭିନ୍ନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହୋଇଥିବାରୁ ସେ ବେଶ୍ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସିଲକ୍ୟାରା ଟନେଲରୁ ଶ୍ରମିକମାନଙ୍କୁ କାଢ଼ିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ କିଛି ଦିନ ତଳେ ଓଡ଼ିଆ ଶ୍ରମିକଙ୍କ ପରିବାର ‌ସଦସ୍ୟ ଓ ଏକ ଟିମ୍ ସେଠାକୁ ପଠାଇଥିଲେ।

ସଫଳ ରେସକ୍ୟୁ ଅପରେସନ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡ ସରକାର, ଏନଡିଆରଏଫ୍ ଓ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ନିଜ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଭାରତ ସବୁ କିଛି କରିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏନ୍‌ଡିଆରଏଫ,ଏସ୍‌ଡିଆରଏଫ୍‌ ଓ ସେନା ଯବାନ ଅକ୍ଲାନ୍ତ ପରିଶ୍ରମ କରି ଗତ ୧୨ ତାରିଖଠାରୁ ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ ୧୭ ଦିନ ପରେ ସୁରକ୍ଷିତ ଉଦ୍ଧାର କରିଛନ୍ତି।

Comments are closed.