ରାୟଗଡ଼ାରୁ କନ୍ଧମାଳ ଜିଲ୍ଲାକୁ ଫେରିଲା ମହାବଳ

ଫୁଲବାଣୀ: ଗତ କିଛି ଦିନ ଧରି ରାୟଗଡ଼ା ଜିଲାର ସୀମାନ୍ତ ଜଙ୍ଗଲରେ ଘୁରି ବୁଲୁଥିବା ମହାବଳ ବାଘ ମଙ୍ଗଳବାର ରାତିରେ ପୁଣି କନ୍ଧମାଳ ଜିଲ୍ଲାର ବନାଞ୍ଚଳକୁ ଫେରିଥିବା ସୂଚନା ମିଳିଛି। କୋଟଗଡ଼ ବ୍ଲକ୍ ଜଙ୍ଗଲ ଦେଇ କନ୍ଧମାଳ ଜିଲ୍ଲାକୁ ବାଘଟି ପଶି ଆସିଥିବା ଅନୁମାନ କରାଯାଉଛି। ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ଅଞ୍ଚଳରୁ ମହାବଳ କନ୍ଧମାଳ ଜିଲ୍ଲାର ଜଙ୍ଗଲ ପଟକୁ ଆସିଥିବା ଅନୁମାନ କରୁଛି ଜଙ୍ଗଲ ବିଭାଗ। ଏହାକୁ ନଜରରେ ରଖି ବନ ବିଭାଗର ୨୦ ଜଣ ଅଧିକାରୀ ଓ କର୍ମଚାରୀ ଦୁଇଟି ଦଳରେ ବିଭକ୍ତ ହୋଇ ଜିଲ୍ଲାର ସୀମାନ୍ତବର୍ତ୍ତୀ ଜଙ୍ଗଲ ପ୍ରତି ନଜର ରଖିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଧରାକୋଟ, ପିପାଡି ଓ ଦୁର୍ଗାପାଙ୍ଗା ଜଙ୍ଗଲରେ ବନ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାଲିଗୁଡ଼ା ବନଖଣ୍ଡ ଅଧିକାରୀ କୋଟଗଡ ପରିଦର୍ଶନ କରି ମହାବଳ ବାଘର ଗତିବିଧି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଗୁରୁବାର ସୁଦ୍ଧା ମହାବଳର ଗତିବିଧି ସମ୍ପର୍କରେ ସଠିକ ସୂଚନା ମିଳିପାରିବ ବୋଲି ବନବିଭାଗ ଅନୁମାନ କରୁଛି।

ପ୍ରକାଶଥାଉକି ଏହି ମହାବଳ ପ୍ରଥମେ ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଗଜପତି ଜିଲ୍ଲାର ରାୟଗଡ଼ ଅଞ୍ଚଳରେ ଠାବ କରାଯାଇଥିଲା। ସେଠାରେ କେତେକ ଗାଈ ଓ ବାଛୁରୀ ଖାଇବା ସହ ଏଣେତେଣେ ଜଙ୍ଗଲରେ ବୁଲିବା ପରେ କନ୍ଧମାଳ ଓ ପରେ ରାୟଗଡ଼ା ଜିଲ୍ଲାର ବଣ ଜଙ୍ଗଲରେ ଘୁରି ବୁଲୁଛି। ଏଯାବତ୍ ଏହା ମଣିଷଙ୍କ ପ୍ରତି କୌଣସି ବିପଦ ସୃଷ୍ଟି କରିନି। ତଥାପି ଲୋକଙ୍କ ମଧ୍ୟରେ ଭୟ ପରିଲକ୍ଷିତ ହୋଇଛି।

Comments are closed.