ଅଲିଭ୍ ରିଡଲେଙ୍କ ସୁରକ୍ଷା ତତ୍ପରତା: ଗଞ୍ଜାମ ମୁହାଣରୁ ଟ୍ରଲର୍ ଜବତ | News Room Odisha

ଅଲିଭ୍ ରିଡଲେଙ୍କ ସୁରକ୍ଷା ତତ୍ପରତା: ଗଞ୍ଜାମ ମୁହାଣରୁ ଟ୍ରଲର୍ ଜବତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣ ଶୀଘ୍ର ଚଳଚଞ୍ଚଳ ହୋଇ ଉଠିବ। ନିକଟସ୍ଥ ବଙ୍ଗୋପସାଗରରେ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେଙ୍କ ଆଗମନର ସମୟ ଏବେ ଉପନୀତ। ହଜାର ହଜାର କିଲୋମିଟର ସମୁଦ୍ର ଅତିକ୍ରମ କରି ସେମାନେ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ନିକଟ ଋଷିକୁଲ୍ୟା ମୁହାଣ ପାଖ ସମୁଦ୍ରରେ ମିଳନ କରିବେ। ପରେ ସମୁଦ୍ର ତଟର ବାଲୁକା ଶଯ୍ୟାକୁ ଆସି ଲକ୍ଷ ଲକ୍ଷ ସଂଖ୍ୟାରେ ସାମୂହିକ ଅଣ୍ଡାଦାନ କରିବେ। ଏହାପରେ ପୁଣି ସମୁଦ୍ରକୁ ଫେରିଯିବେ। ପ୍ରାୟ ଦେଢ଼ ମାସ ପରେ ସେହି ଅଣ୍ଡାଗୁଡିକରୁ ଛୁଆ ଫୁଟିବା ସହ ସେମାନେ ମଧ୍ୟ ସମୁଦ୍ରମୁହାଁ ହେବେ। ନବଜୀବନ ସଞ୍ଚାରର ଏହି ନିଆରା ପ୍ରାକୃତିକ ପ୍ରକ୍ରିୟା ସତରେ ଅତ୍ୟନ୍ତ ମନୋହର ଅଟେ।

ତେବେ ଅଲିଭ୍ ରିଡଲେଙ୍କ ଆଗମନ ଓ ସମୁଦ୍ରରେ ମିଳନକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ବନଖଣ୍ଡ ସମ୍ଭାବ୍ୟ ଅଣ୍ଡାଦାନ ଅଞ୍ଚଳ ଓ ସମୁଦ୍ର ମୁହାଣରେ ମାଛଧାରା ଉପରେ କଟକଣା ଜାରି କରିଛି। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ ଜୋରଦାର କରିଛି ବନ ବିଭାଗ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ କଟକଣା ଉଲ୍ଲଘଂନ କରିଥିବା ଟ୍ରଲରକୁ ଧରପଗଡ କରାଯାଇଛି। ଆଜି ବନବିଭାଗ, ମତ୍ସ୍ୟ ବିଭାଗ, କୋଷ୍ଟାଲ ଏପିଆର୍ ମିଳିତ ପାଟ୍ରୋଲିଂ ବେଳେ ପାରାଦ୍ୱୀପ ଅଞ୍ଚଳର ଏକ ଟ୍ରଲର୍ ନିଷିଦ୍ଧାଞ୍ଚଳରୁ ମାଛ ଧରୁଥିବା ବେଳେ ଜବତ କରିଥିଲେ l ସେଥିରେ ମାଛ ଧରୁଥିବା ୬ ଜଣ ମତ୍ସ୍ୟଜୀବିଙ୍କୁ ଅଟକ ରଖି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗତବର୍ଷ ରେକର୍ଡ ସଂଖ୍ୟାରେ ଅଲିଭ୍ ରିଡଲେ କଇଁଛ ଗଣ ଅଣ୍ଡାଦାନ କରୁଥିବା ବେଳେ ଦୁଇ ଗୋଟି ଆନ୍ଧ୍ର ଟ୍ରଲରକୁ ଧରାଯାଇଥିଲା।