ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ : ନିରାପଦରେ ଫେରି ଆସିଥିବାରୁ ଖୁସି ପ୍ରକାଶ ସହ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର – ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
   ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ ଦେଇଥିଲେ।
ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
   ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ ପ୍ରେରଣା ଦାୟକ ବୋଲି ସେ କହିଥିଲେ।
    ଯେଉଁ ଶ୍ରମିକମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ।
 ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗତକାଲି ଓଡ଼ିଆ ଶ୍ରମିକମାନଙ୍କ ସହ ଭିଡ଼ିଓ କଲ୍ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ଶ୍ରମ ମନ୍ତ୍ରୀ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରିଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ  ଶ୍ରମ  କମିଶନର  ଉପସ୍ଥିତ ଥିଲେ |

Comments are closed.