୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା | News Room Odisha

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା

ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ପ୍ରତ୍ୟୁଷରେ ଶ୍ରୀମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ପଦକ୍ଷେପ ନେବା ସହିତ ମଠ ଗୁଡିକର ପୁନରୁଦ୍ଧାର ଓ ଲ୍ୟାଣ୍ଡସ୍କେପିଂ କାମ ତ୍ୱରାନ୍ୱିତ କରିବା ପାଇଁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପ୍ରତ୍ୟୁଷ ୫ ଟାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ସମଗ୍ର ପରିକ୍ରମା ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହ ଭକ୍ତ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଏହି ସମୀକ୍ଷା ଅବସରରେ ୫-ଟି ଅଧ୍ୟକ୍ଷ ଦୋଳବେଦୀ ଅଞ୍ଚଳର ତ୍ଵରିତ ବିକାଶ ଏମାର ମଠ ,ପଞ୍ଜାବୀ ମଠ ଆଦିର ପୁନରୁଦ୍ଧାର ସହିତ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ପେଣ୍ଟିଂ କାମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ ।

ଏହା ସହିତ ଭକ୍ତମାନଙ୍କ ସ୍ବଚ୍ଛନ୍ଦ ଦର୍ଶନ ପାଇଁ ମରୀଚିକୋଟ ଛକ ଠାରୁ ଧାଡ଼ି ଆରମ୍ଭ ସହିତ ସିଂହଦ୍ଵାରଠାରୁ ମରୀଚିକୋଟ ଛକ ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ଵ ରୁ ଭେଣ୍ଡିଂଜୋନ୍ ହଟାଇ ଅନ୍ୟତ୍ର ଥଇଥାନ କରିବା ପାଇଁ କାର୍ତ୍ତିକ ପାଣ୍ଡିଆନ ପରାମର୍ଶ ଦେଇଥିଲେ ।

ଶ୍ରୀମନ୍ଦିର ଉତ୍ତର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ଲ୍ୟାଣ୍ଡସ୍କାପିଂ କାମ ଚଳିତମାସ ୯ ତାରିଖ ସୁଦ୍ଧା ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ମଠ ପୁନଃ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ୫-ଟି ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ ‌। ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ୫-ଟି ଅଧ୍ୟକ୍ଷ ଗୁରୁତ୍ବ ଆରୋପ କରିଥିଲେ।

ଏହି ପରିଦର୍ଶନ ବେଳେ ପୁରୀ ଜିଲ୍ଲାପାଳ, ଆଇଜି, ଏସପି, ଓବିସିସି ଏମଡି ପ୍ରମୁଖ ଉପସ୍ଥିତ ଥିଲେ।