ଗଭୀର ଅବପାତରେ ପରିଣତ ହେଲା ଅବପାତ, ୨୪ ଘଣ୍ଟାରେ ବାତ୍ୟା ଆଶଙ୍କା | News Room Odisha

ଗଭୀର ଅବପାତରେ ପରିଣତ ହେଲା ଅବପାତ, ୨୪ ଘଣ୍ଟାରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠାରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ସମ୍ଭାବ୍ୟ ବାତ୍ୟା ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଦେଇ ଅତିକ୍ରମ କରିବ। ସେତେବେଳେ ପବନର ବେଗ ସର୍ବାଧିକ ୧୦୦ କିମି ରହିବ। ଏହି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବିସ୍ତୃତି ବଢ଼ିବ। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୪ ତାରିଖ ସନ୍ଧ୍ୟାରୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି ।