ଘଟଗାଁ ଦୁର୍ଘଟଣା: ଏକାଠି ଜଳିଲା ସ୍ବାମୀ-ସ୍ତ୍ରୀ ଓ ବାପା-ପୁଅଙ୍କ ଜୁଇ, ରାଜ୍ୟ ସରକାର ଯୋଗାଇଲେ ସମସ୍ତ ସହାୟତା 

ବ୍ରହ୍ମପୁର: କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ ଶୁକ୍ରବାର ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଶିଶୁ, ୩ ମହିଳା ଓ ୪ ପୁରୁଷଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପରତାର ସହ କାର୍ଯ୍ୟ କରି ମୃତକଙ୍କ ଯଥାଶୀଘ୍ର ଶବ ବ୍ୟବଚ୍ଛେଦ ଓ ମରଶରୀରକୁ ନିଜ ନିଜ ଗାଁକୁ ପଠାଇଥିଲେ। ସେହିପରି ଗୁରୁତର ଓ ଅନ୍ୟ ଆହତଙ୍କ ମାଗଣା ଓ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଇଥିଲେ। ତେବେ ମୃତ ଆଠ ଜଣଙ୍କ ଶବ ୪ଗୋଟି ମହାପ୍ରୟାଣ ଗାଡ଼ିରେ ପୋଲିସ ଏସକର୍ଟ ସହ କେନ୍ଦୁଝରରୁ ଗଞ୍ଜାମ ଜିଲ୍ଲାକୁ ପଠାଯାଇଥିଲା। ରାତି ପ୍ରାୟ ଦୁଇଟା ବେଳେ ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରିରେ ମୃତଦେହ ଗୁଡ଼ିକ ପହଞ୍ଚି ଥିଲା। ସେତେବେଳକୁ କାନ୍ଦ ବୋବାଳିରେ ଫାଟି ପଡୁଥିଲା ସାରା ଗାଁ। ତିନୋଟି କୋକେଇ ସଜାଯାଇ ଶବକୁ ଗାଁ ଶ୍ମଶାନକୁ ନିଆ ଯାଇଥିଲା। ଗଜେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ତଥା ମାଆ ମିତା ପ୍ରଧାନଙ୍କ ମର ଶରୀର ଗୋଟିଏ ଜୁଇରେ ଏବଂ ସ୍ବାମୀ-ସ୍ତ୍ରୀ ତଥା ଗଜେନ୍ଦ୍ରଙ୍କ ପୁଅ ଆକାଶ ପ୍ରଧାନ, ବୋହୂ ଲିଲି ପ୍ରଧାନଙ୍କ ଶବ ଅନ୍ୟ ଏକ ଜୁଇରେ ଜଳିଥିଲା।

ସେହିପରି ବତାଗଡ଼ ଗାଁରେ ଗୋଟିଏ ଜୁଇରେ ବାପା ବାୟାଘନ ଗୌଡ, ଅନ୍ୟ ଏକ ଜୁଇରେ ପୁଅ ମଦନ ଗୌଡ ଓ ନାତି ରୁଦ୍ର ଗୌଡଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ କରାଯାଇଥିଲା। ବାୟାଘନଙ୍କ ଗୋଟିଏ ଜ୍ବାଇଁ ବାବୁଲା ଗୌଡଙ୍କ ଶବକୁ ମହାପ୍ରୟାଣ ଗାଡ଼ି ତାଙ୍କ ଗାଁ ଦେଓଖାଳୀ ପଠାଯାଇ ଶେଷକୃତ୍ୟ କରାଯାଇଥିଲା। ବାୟାଘନଙ୍କ ଅନ୍ୟତମ ଝିଅ ପାପିନି ଗୌଡଙ୍କ ଶବକୁ ପାଳଝାଡି ପଠା ଯାଇଥିଲା।

ଗଞ୍ଜାମ ଜିଲ୍ଲା ଓ ସାନଖେମୁଣ୍ଡି ବ୍ଲକ୍ ପ୍ରଶାସନ, ପୋଲିସ, ବ୍ଲକ୍ ଓ ପଞ୍ଚାୟତର ଜନ ପ୍ରତିନିଧି ଉପସ୍ଥିତ ରହି ଅନ୍ତିମ ସଂସ୍କାରରେ ସହଯୋଗ କରିଥିଲେ। ଏବେ ଅନ୍ୟ ଆହତମାନେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଗୁରୁତରମାନେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି କଠିନ ସମୟରେ ଦୁର୍ଘଟଣା ପୀଡ଼ିତ ତଥା ମୃତାହତଙ୍କ ସମ୍ପର୍କୀୟଙ୍କ ପ୍ରତି ରାଜ୍ୟ ସରକାର ସହଯୋଗର ଯେଉଁ ହାତ ବଢାଇଛନ୍ତି ତାହା ସେମାନଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ କରିଥିଲା।

Comments are closed.