ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର -ଗୁଣାତ୍ମକ ଶିକ୍ଷା ପ୍ରତିଷ୍ଠାନ କ୍ଷେତ୍ରରେ ଆଉ ଏକ ପାଦ ଆଗେଇବ ଓଡ଼ିଶା। ଖୋର୍ଦ୍ଧା ଇନଫୋଭ୍ୟାଲିରେ ଏସକେଭିଏମ – ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆନ୍ତର୍ଜାତିକ ସ୍ତରର ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଉଚ୍ଚଶିକ୍ଷା ବିଭାଗ ଓ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ମଧ୍ୟରେ ବୁଝାମଣାପତ୍ର ଗତ ସପ୍ତାହରେ ସ୍ବାକ୍ଷରିତ ହୋଇଛି । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ଜଟଣୀର ଗୌଡକାଶିପୁରଠାରେ ୪୦ ଏକର ଜମି ଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି । ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ ୩୦ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ । କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟ କ୍ରମେ କରାଯିବ । ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟ ଭାବେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହି ଅର୍ଥ ରାଶି ଉଚ୍ଚଶିକ୍ଷା ବିଭାଗ ଇଡ୍କୋ ପ୍ରଦାନ କରିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ । ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜଣାଯାଇଛି ।