ସୂର୍ଯ୍ୟର ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ପଠାଇଲା ଆଦିତ୍ୟ-ଏଲ୍୧

ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ର ସଫଳତା ନେଇ ପ୍ରଥମ ପ୍ରମାଣ ମିଳିଛି । ଏହି ଉପଗ୍ରହରେ ଲାଗିଥିବା ସୋଲାର ଅଲଟ୍ରାଭାଓଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍ (ଏସୟୁଆଇଟି) ପ୍ରଥମ ଥର ସୂର୍ଯ୍ୟର ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଛି । ଇସ୍ରୋ ଏହାର ‘ଏକ୍ସ’ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛି ।

ଏସୟୁଆଇଟି ପଠାଇଥିବା ଏହି ସମସ୍ତ ଫଟୋ ୨୦୦ ରୁ ୪୦୦ ନାନୋମିଟର ଓ୍ବେଭଲେନ୍ଥ୍ ବିଶିଷ୍ଟ । ଅର୍ଥାତ୍ ଏହି ଫଟୋ ଗୁଡ଼ିକରେ ସୂର୍ଯ୍ୟକୁ ୧୧ଟି ଭିନ୍ନ ରଙ୍ଗରେ ଦେଖିବାକୁ ମିଳୁଛି।

‘ଆଦିତ୍ୟ- ଏଲ୍୧’ ର ଏସୟୁଆଇଟି ପେଲୋଡ୍ ନଭେମ୍ବର ୨୦ରେ ସକ୍ରିୟ ହୋଇଥିଲା | ଏହି ଟେଲିସ୍କୋପ୍ ସୂର୍ଯ୍ୟର ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟର ଫଟୋ ଉଠାଇଛି | ଫୋଟୋସ୍ଫିୟର ଅର୍ଥ ହେଉଛି ସୂର୍ଯ୍ୟର ପୃଷ୍ଠ ଏବଂ କ୍ରୋମୋସ୍ଫିୟର ଅର୍ଥ ସୂର୍ଯ୍ୟ ପୃଷ୍ଠ ଏବଂ ବାହ୍ୟ ବାୟୁମଣ୍ଡଳୀୟ କରୋନା ମଧ୍ୟରେ ଥିବା ପତଳା ସ୍ତର | କ୍ରୋମୋସ୍ଫିୟର ସୂର୍ଯ୍ୟ ପୃଷ୍ଠରୁ ୨୦୦୦ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

ଏହା ପୂର୍ବରୁ ସୂର୍ଯ୍ୟର ଫଟୋ ୬ ଡିସେମ୍ବର ୨୦୨୩ରେ ନିଆଯାଇଥିଲା। କିନ୍ତୁ ତାହା ପ୍ରଥମ ଲାଇଟ୍ ସାଇନ୍ସ ଫଟୋ ଥିଲା। ହେଲେ ଏଥର ପୂର୍ଣ୍ଣ ଡିସ୍କ ଫଟୋ ନିଆଯାଇଛି ଅର୍ଥାତ ସୂର୍ଯ୍ୟର ସେହି ଅଂଶ ଯାହା ସମ୍ପୂର୍ଣ୍ଣ ସାମ୍ନାରେ ଅଛି ।

‘ଆଦିତ୍ୟ- ଏଲ୍୧’ ରେ ଲାଗିଥିବା ଏସୟୁଆଇଟିକୁ ପୁଣେର ଇଣ୍ଟର-ୟୁନିଭରସିଟି ସେଣ୍ଟର ଫର ଆଷ୍ଟ୍ରୋନୋମି ଆଣ୍ଡ୍ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ), ମଣିପାଲ ଏକାଡେମୀ ଅଫ୍ ହାଇ ଏଜୁକେସନ୍ (ଏମ୍ଏଏଚ୍ଇ), ସ୍ପେସ୍ ସାଇନ୍ସ ଇଣ୍ଡିଆ (ସିଇଏସ୍ଏସ୍ଆଇ), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ, ଉଦୟପୁର ସୋଲାର ଅବଜରଭେଟୋରୀ, ତେଜପୁର ବିଶ୍ୱବିଦ୍ୟାଳୟ ଏବଂ ଇସ୍ରୋ ବୈଜ୍ଞାନିକମାନେ ମିଳିତ ଭାବେ ତିଆରି କରିଛନ୍ତି ।

ଇସ୍ରୋ ସେପ୍ଟେମ୍ବର ୨ରେ ଦେଶର ପ୍ରଥମ ସୌର ମିଶନ ‘ଆଦିତ୍ୟ-ଏଲ୍୧’କୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସଫଳତାର ସହ ଉତକ୍ଷେପଣ କରିଥିଲା।

Comments are closed.