ଋଷିକୁଲ୍ୟା ମୁହାଣ ବଙ୍ଗୋପସାଗରରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣକୁ ବିଶିଷ୍ଟ ଆଗନ୍ତୁକଙ୍କ ଆଗମନ ଆରମ୍ଭ ହୋଇଛି। ସେମାନେ ହେଉଛନ୍ତି ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେ। ସମୁଦ୍ରରେ ବହୁ ଦୂର ଅତିକ୍ରମ କରି ଏମାନେ ଋଷିକୁଲ୍ୟା ମୁହାଣ ନିକଟ ବଙ୍ଗୋପସାଗରରେ ସମବେତ ହୋଇଛନ୍ତି। ଶୀତ ଋତୁ ଯଦିଓ ବିଳମ୍ବରେ ଅନୁଭୂତ ହୋଇଛି ଏବଂ ଦେଶର ପୂର୍ବ ଉପକୂଳରେ ବାତ୍ୟା ଚାଲିଯିବା ପରେ ଦକ୍ଷିଣା ପବନ ସହ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଏଣୁ ଏବେ ସମୁଦ୍ର ମଧ୍ୟରେ ଅଧିକରୁ ଅଧିକ ଅଲିଭ ରିଡଲେଙ୍କ ସମାଗମ ସହ ମିଳନ ଆରମ୍ଭ ହୋଇଛି।ଏହି ପ୍ରକ୍ରିୟା ପ୍ରାୟ ମାସେ ଧରି ଚାଲିବା ପରେ ମାଈ କଇଁଛମାନେ ବେଳାଭୂମିକୁ ଆସି ହଜାର ହଜାର ସଂଖ୍ୟାରେ ବାଲୁକା ଶଯ୍ୟାରେ ସମୂହ ଅଣ୍ଡାଦାନ କରିବେ। ନିଜ ପଛ ଗୋଡ଼ରେ ଦେଢ଼ଫୁଟ ଗଭୀର ଗାତ ଖୋଳି ଅଣ୍ଡାଦାନ କରିଥାନ୍ତି ଓ ପରେ ଗୋଡ଼ ଦ୍ବାରା ଅଣ୍ଡା ଥିବା ଗାତକୁ ବାଲିରେ ଭରି ସମୁଦ୍ରକୁ ଚାଲିଯାଇଥାନ୍ତି। ଫେବ୍ରୁଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ଏହା ଘଟିଥାଏ। ଏହାର ପ୍ରାୟ ଦେଢ଼ ମାସ ପରେ ସେଥିରୁ ଛୁଆ ବାହାରି ସମୁଦ୍ରମୁହାଁ ହେବେ। ଗତବର୍ଷ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ସାଢ଼େ ୬ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ କରିଥିଲେ।

ଅଲିଭ ରିଡଲେ ସାମୁଦ୍ରିକ କଇଁଛ ସୁଦୂର ଶ୍ରୀଲଙ୍କାର ଜାଫାନା, କଲମ୍ବୋ ଓ କାଲମୋନାଲ ଉପକୂଳରୁ ହଜାର ହଜାର କିଲୋମିଟର ଦୂରତା ଅତିକ୍ରମ କରି ଭାରତ ମହାସାଗର ହୋଇ ବଙ୍ଗୋପସାଗରରେ ଋଷିକୁଲ୍ୟା ମୁହାଣକୁ ଆସିଥାନ୍ତି। ସାଧାରଣତଃ ନଭେମ୍ବର ଶେଷ ସପ୍ତାହରୁ ଜାନୁଆରୀ ପ୍ରଥମ ସପ୍ତାହ ମଧ୍ୟରେ ଋଷିକୁଲ୍ୟା ମୁହାଣରେ ମିଳନ କରିଥାନ୍ତି। ଏହି ପ୍ରଜାତିର କଇଁଛ ୩୫ ବର୍ଷ ହେବା ପରେ ହିଁ ପ୍ରଜନନକ୍ଷମ ହୋଇଥାନ୍ତି।

ବ୍ରହ୍ମପୁର ବନ ବିଭାଗ ଡିଏଫ୍ଓ ସନ୍ନି ଖୋକର କହିଛନ୍ତି ଯେ କଇଁଛଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ଦ୍ବାରା ଗଭୀର ସମୁଦ୍ର ଭିତରେ ଓ ଉପକୂଳରେ କଡ଼ାକଡ଼ି ପାଟ୍ରୋଲିଂ କରାଯାଉଛି। ପ୍ରୟାଗୀ ଠାରୁ ଆର୍ଜିପଲ୍ଲୀ ମଧ୍ୟରେ ଟ୍ରଲର୍, ରିଙ୍ଗ୍ ଜାଲ, ମାଛ ଧରା ଉପରେ କଟକଣା ଲଗାଯାଇଛି। ବିରଳ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ଉପକୂଳରେ ୪ ଫୁଟ ଉଚ୍ଚ ପ୍ଲାଷ୍ଟିକ୍ ବ୍ୟାରିକେଡ୍ କରାଯାଇଛି।

Comments are closed.