ଚମକିଲେ ସୂର୍ଯ୍ୟ, କୁଲଦୀପ: ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ହରାଇ ଟି-୨୦ ସିରିଜ୍ ଡ୍ର କଲା ଭାରତ

ଜୋହାନ୍ସବର୍ଗ: ଅଧିନାୟକ ସୁର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଶତକ ପରେ ସ୍ପିନର କୁଲଦୀପ ଯାଦବଙ୍କ ପାଞ୍ଚ ୱିକେଟ ସହାୟତାରେ ଭାରତ ଗୁରୁବାର ତୃତୀୟ ତଥା ଅନ୍ତିମ ଟି-୨୦ କ୍ରିକେଟ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୬ ରନରେ ମାତ୍ ଦେଇଛି । ଏଥିସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି ଭାରତ |

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ସୂର୍ଯ୍ୟକୁମାର ୭ଟି ଚୌକା ଓ ୮ଟି ଛକା ସହାୟତାରେ ୫୬ଟି ବଲରେ ୧୦୦ ରନ୍ କରିଥିଲେ । ଏହା ତାଙ୍କ ଚତୁର୍ଥ ଟି-୨୦ ଶତକ | ଯୁବ ଓପନର୍ ଯଶସ୍ବୀ ଜୈସୱାଲ ୪୧ ବଲରେ ୬୦ ରନର ଇନିଂସ ଖେଳିଥିଲେ। ଉଭୟ ତୃତୀୟ ୱିକେଟ୍ ପାଇଁ ୧୧୨ ରନ୍ ଭାଗିଦାରୀ କରିଥିଲେ।

ଭାରତ ପ୍ରଦତ୍ତ ୨୦୨ ରନର ବିଶାଳ ଟାର୍ଗେଟ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ମାତ୍ର ୯୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନିଜ ୨୯ତମ ଜନ୍ମଦିନ ପାଳନ କରୁଥିବା କୁଲଦୀପ ୨.୫ ଓଭରରେ ୧୭ ରନ୍ ଦେଇ ୫ଟି ୱିକେଟ୍ ନେଇଥିଲେ । ଏଥିମଧ୍ୟରୁ ସେ ୧୪ ତମ ଓଭରରେ ହିଁ ତିନୋଟି ୱିକେଟ୍ ହାତେଇଥିଲେ। ରବୀନ୍ଦ୍ର ଜାଡେଜା ଦୁଇଟି ୱିକେଟ୍ ନେଇଥିବାବେଳେ ଦ୍ରୁତ ବୋଲର ମୁକେଶ କୁମାର ଏବଂ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

ଦକ୍ଷିଣ ଆଫ୍ରିକା ପାଇଁ ଡେଭିଡ ମିଲର ସର୍ବାଧିକ ୩୫ ରନ୍ କରିଥିବାବେଳେ ଅଧିନାୟକ ଆଡେନ ମାର୍କ୍ରାମ ୨୫ ରନ କରିଥିଲେ। ଏ ଦୁହିଁଙ୍କ ବ୍ୟତୀତ କେବଳ ଡୋନୋଭେନ୍ ଫେରେରା (୧୨) ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ |

ଡର୍ବାନରେ ସିରିଜର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ଗକବେରାରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ପାଞ୍ଚ ୱିକେଟରେ ଜିତିଥିଲା।

ଉଭୟ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଡିସେମ୍ବର ୧୭ରୁ ଆରମ୍ଭ ହେବ ।

Comments are closed.