ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ଆତ୍ମସମର୍ପଣ | News Room Odisha

ସଂସଦ ସୁରକ୍ଷା ଭଙ୍ଗ ଘଟଣାର ମାଷ୍ଟର ମାଇଣ୍ଡ ଲଳିତ ଝାଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ଘଟଣାର ଷଷ୍ଠ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଲଳିତ ମୋହନ ଝାଙ୍କୁ ଦିଲ୍ଲୀ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି । ବିହାର ବାସିନ୍ଦା ଲଳିତ ମୋହନ ଝା କର୍ତ୍ତବ୍ୟପଥ ପୋଲିସ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସର ଜଣେ ଅଧିକାରୀ କହିଛନ୍ତି ।

ସଂସଦ ଅନୁପ୍ରବେଶ ଘଟଣାର ସ୍କ୍ରିପ୍ଟ ଲଳିତ ହିଁ ପ୍ରସ୍ତୁତ କରିଥିଲେ । ଘଟଣା ଦିନ ସେ ଚାରି ଅଭିଯୁକ୍ତଙ୍କ ମୋବାଇଲ ଫୋନ ଧରି ଫେରାର ହୋଇଯାଇଥିଲେ । ପରେ ସେ ସଂସଦ ଅନୁପ୍ରବେଶ ବେଳର ଦୃଶ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏହା ପୂର୍ବରୁ ଚାରି ଜଣଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ବିଶାଲ ଶର୍ମା ନାମକ ପଞ୍ଚମ ଅଭିଯୁକ୍ତଙ୍କୁ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା । ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚାମ୍ବରକୁ ଡେଇଁଥିବା ସାଗର ଶର୍ମା ଏବଂ ମନୋରଞ୍ଜନ ଡି ନାମକ ଦୁଇଜଣ ଅଭିଯୁକ୍ତଙ୍କୁ କିଛି ସାଂସଦ କାବୁ କରି ପୋଲିସଙ୍କୁ ହସ୍ତାନ୍ତର କରିଥିଲେ। ପରେ ସଂସଦ ବାହାରେ ବିରୋଧ ପ୍ରଦର୍ଶନ କରିଥିବା ଆଉ ଦୁଇ ଅଭିଯୁକ୍ତ ଅମୋଲ ସିନ୍ଦେ ଓ ନୀଲମ ଦେବୀ ଗିରଫ ହୋଇଥିଲେ। ସଂସଦ ସୁରକ୍ଷା ଭଙ୍ଗ ଅଭିଯୋଗରେ ଗିରଫ ଚାରି ଜଣଙ୍କ ବିରୋଧରେ ପୋଲିସ କଡ଼ା ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ କରିଥିଲା । ଏହି ଚାରି ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତମାନେ କହିଥିଲେ ଭାରତରେ ବ୍ରିଟିଶ ଶାସନ ସମୟରେ କେନ୍ଦ୍ରୀୟ ସଂସଦ ଭିତରେ ବିପ୍ଲବୀ ଭଗତ ସିଂ ଯେମିତି ବୋମା ଫିଙ୍ଗିଥିଲେ, ସେମାନେ ମଧ୍ୟ ସେଭଳି କିଛି କରିବାକୁ ଚାହୁଁଥିଲେ ।

ସଂସଦ ସୁରକ୍ଷାରେ ତ୍ରୁଟି ଘଟଣାରେ ଲୋକସଭା ସଚିବାଳୟ ୮ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରିଛି। ପ୍ରାଥମିକ ତଦନ୍ତ ଆଧାରରେ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ସାଗର ଏବଂ ମନୋରଞ୍ଜନ ଜୋତା ଭିତରେ ଗ୍ୟାସ କ୍ୟାନ୍ ଲୁଚାଇ ଭିତରକୁ ଯିବାରେ ସଫଳ ହୋଇଥିଲେ । ଏଥିରୁ ଜଣାପଡୁଛି ଦାୟିତ୍ଵରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ସଠିକ୍ ଭାବେ ଯାଞ୍ଚ୍ କରିନଥିଲେ।