ବ୍ରହ୍ମପୁରରେ ଖୋଲିଲା ରାଜ୍ୟର ପ୍ରଥମ ପ୍ରସ୍ତର ଉଦ୍ୟାନ | News Room Odisha

ବ୍ରହ୍ମପୁରରେ ଖୋଲିଲା ରାଜ୍ୟର ପ୍ରଥମ ପ୍ରସ୍ତର ଉଦ୍ୟାନ

ବ୍ରହ୍ମପୁର: ରାଜ୍ୟର ପ୍ରଥମ ପ୍ରସ୍ତର ଉଦ୍ୟାନ (ରକ୍ ଗାର୍ଡେନ୍) ଏବେ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ଏଣିକି ବ୍ରହ୍ମପୁର ବାସିନ୍ଦା ତଥା ଅନ୍ୟ ସ୍ଥାନର ପର୍ଯ୍ୟଟକ ଏହି ସୁନ୍ଦର ଗାର୍ଡେନ୍ ବୁଲି ଦେଖି ଏହାର ମଜା ଉଠାଇ ପାରିବେ। ଏହା ମଧ୍ୟରେ ରହିଛି ରକ୍‌ ଗାର୍ଡେନ୍‌ରେ ଲାମିନାର୍‌ ଫାଉଣ୍ଟେନ୍‌, ଛୋଟ ଛୁଆଙ୍କ ସକାଶେ ପାଇଁ ଡ୍ରାଏ ଫାଉଣ୍ଟେନ୍‌, ପାଦ ଚଲା ରାସ୍ତା, ସାଇକେଲ୍‌ ଟ୍ରାକ୍‌, କୃତ୍ରିମ ଜଳପ୍ରପାତ, ଓ୍ବାଚ୍‌ ଟାୱାର, ପଥରରେ ନିର୍ମିତ ବିଭିନ୍ନ ସାଜସଜ୍ଜା ଓ କଳାକୃତି, ପ୍ରାଚୀନ ସଭ୍ୟତାର ଶିଳାଲେଖ, ମୁକ୍ତାକାଶ ମଞ୍ଚ, ଫୁଡ୍ କୋର୍ଟ, ଇଣ୍ତିଜିନିୟସ୍‌ ଫରେଷ୍ଟ, ମିନି ପ୍ଲାନେଟରିୟମ୍‌ ଆଦି। ତେବେ ସ୍ଵତନ୍ତ୍ର ଆକର୍ଷଣ ସାଜିବ ମିରର୍‌ ପଜଲ୍‌ ହାଉସ୍‌ ଓ କସମସ୍‌ ଆର୍ଟ ଗ୍ୟାଲେରୀ ଭଳି ନିଆରା ସୁବିଧା ସୁଯୋଗ।‌ ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନ ପରେ ଏହି ପ୍ରସ୍ତର ଉଦ୍ୟାନ ଏବେ ରେଶମ ସହରକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ଆଶା କରାଯାଉଛି। ଏହାର ନିର୍ମାଣରେ ୧୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି।

 

ବ୍ରହ୍ମପୁର ମହାନଗରର ୪୨ ନମ୍ବର ୱାର୍ଡରେ ଆମ୍ବପୁଆ ନିକଟରେ ୯ ଏକର ଜମିରେ ରକ୍‌ ଗାର୍ଡେନ୍‌ ନିର୍ମାଣ କରିଛି ବିଡିଏ। ଏହି ପ୍ରସ୍ତାବ ଆଜିକୁ ଆଠ ବର୍ଷ ତଳର। ପରିବର୍ତ୍ତିତ ସମୟ ଓ ସହରବାସୀଙ୍କ ବଦଳୁଥିବା ରୁଚିକୁ ଦୃଷ୍ଟିରେ ରଖି ରେଶମ ମହାନଗରରେ ନିର୍ମାଣ କରାଯାଇଛି ଓଡ଼ିଶାର ପ୍ରଥମ ରକ୍‌ ଗାର୍ଡେନ୍‌। ୨୦୧୫ ମସିହାରେ ବିଡିଏ ଦ୍ବାରା ସ୍ଥାନ ନିରୂପଣ, ଡିପିଆର୍ ପ୍ରସ୍ତୁତି ସହ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ତେବେ ୨୦୧୯ରେ ପ୍ରକୃତରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଥଚ କରୋନା ପାଇଁ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବିଳମ୍ବରେ ହେଲେ ସୁଦ୍ଧା କାର୍ଯ୍ୟ ସରିଥିଲା। ଭିନ୍ନ ଭିନ୍ନ ବୟସ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସମ୍ବଳିତ ଏହି ପାର୍କକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ଗତ ମାର୍ଚ୍ଚ ୨୬ରେ ଲୋକାର୍ପଣ କରିଥିଲେ। ମାତ୍ର ଢାଞ୍ଚାଗତ ପରିବର୍ତ୍ତନ ଏବଂ କିଛି ଅତ୍ୟାବଶ୍ୟକ ଅନୁମୋଦନ ପରେ ଏବେ
ବହୁ ପ୍ରତିକ୍ଷୀତ ପ୍ରସ୍ତର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ ହୋଇଛି।

ଶନିବାର ଦିନ ପରୀକ୍ଷାମୂଳକ ଭାବେ ଖୋଲିବା ଅବସରରେ ନିର୍ବାଚିତ ଜନପ୍ରତିନିଧ, ବରିଷ୍ଠ ପ୍ରଶାସନିକ ଏବଂ ପୋଲିସ ଅଧିକାରୀ, ସାମ୍ବାଦିକ ଏହାକୁ ବୁଲି ଦେଖିଛନ୍ତି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟୀ ମେୟର୍ ଇ.ବିବେକ ରେଡ୍ଡୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଦକ୍ଷିଣାଞ୍ଚଳ ଆରଡିସି ଟି.ଏ. ଆଓ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଏମ୍‌ସି କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ କର୍ପୋରେଟରମାନେ ରକ୍‌ ଗାର୍ଡେନ୍‌ ବୁଲିଛନ୍ତି। ରାଜ୍ୟର ପ୍ରଥମ ଏଭଳି ରକ୍‌ ଗାର୍ଡେନ୍‌ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ ବୋଲି ଆଶା କରାଯାଉଛି।