ଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା କହିଲେ ମହାରାଷ୍ଟ୍ର ବାଚସ୍ପତି | News Room Odisha

ଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା କହିଲେ ମହାରାଷ୍ଟ୍ର ବାଚସ୍ପତି

ମୁମ୍ବାଇ: ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ବିଦ୍ରୋହୀ ଶିବସେନା ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ରାୟ ଶୁଣାଇଛନ୍ତି। ବାଚସ୍ପତି ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନା ଭାବେ ମାନ୍ୟତା ଦେଇଛନ୍ତି । ସେ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଯୋଗ୍ୟତା ବଜାୟ ରଖିଛନ୍ତି । ମହାରାଷ୍ଟ୍ର ବାଚସ୍ପତିଙ୍କ ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ଆଉ ଏକ ବଡ଼ ଝଟକା ।

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହି ମାମଲାରେ ରାୟ ଶୁଣାଇବା ବେଳେ କହିଛନ୍ତି, ୨୦୨୨ରେ ଏକନାଥ ସିନ୍ଦେଙ୍କୁ ଦଳରୁ ବାହାର କରିବା ଉଦ୍ଧବ ଠାକରେଙ୍କର ସାମ୍ବିଧାନିକ ଅଧିକାର ନଥିଲା। ଶିବସେନାର ୧୯୯୯ର ସମ୍ବିଧାନ ଆଧାରରେ ନାର୍ଭକର ଏହି ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ନିକଟରେ ୨୦୧୮ର ସଂଶୋଧିତ ସମ୍ବିଧାନ ପରିବର୍ତ୍ତେ ଦଳର ୧୯୯୯ ସମ୍ବିଧାନ ଦାଖଲ ହୋଇଛି । ତେଣୁ କେବଳ ୧୯୯୯ ସମ୍ବିଧାନ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।

ବାଚସ୍ପତି କହିଛନ୍ତି, ଦଳର ୧୯୯୯ ସମ୍ବିଧାନରେ ମୁତାବକ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଶିବସେନାର ନେତୃତ୍ୱ ନେବେ, କିନ୍ତୁ ୨୦୧୮ ସମ୍ବିଧାନରେ କୁହାଯାଇଛି ଯେ ଦଳ ମୁଖ୍ୟଙ୍କ ନିଷ୍ପତ୍ତି ସର୍ବୋପରି ହେବ।

ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀ ପକ୍ଷରୁ କୁହାଯାଇଥିଲା ଯେ ଜଣେ ବ୍ୟକ୍ତିଙ୍କୁ ଦଳରୁ ବାହାର କରିବାର ଚୂଡ଼ାନ୍ତ ଅଧିକାର କେବଳ ଦଳର ମୁଖ୍ୟଙ୍କ ପାଖରେ ରହିବ। କିନ୍ତୁ ବର୍ତ୍ତମାନ ଯେହେତୁ ୨୦୧୮ର ସମ୍ବିଧାନ ଅବୈଧ ବୋଲି ବିବେଚନା କରାଯାଉଛି, ଶିବସେନା ଦଳର ମୁଖ୍ୟଙ୍କ ନିକଟରେ ଦଳରୁ କୌଣସି ସଦସ୍ୟଙ୍କୁ ବହିଷ୍କାର କରିବାର ଅପ୍ରତିବନ୍ଧ ଅଧିକାର ରହିବ ନାହିଁ। ତେଣୁ ଏକନାଥ ସିନ୍ଦେଙ୍କୁ ଦଳରୁ ବହିଷ୍କାର କରିବା ଉଦ୍ଧବ ଠାକରେଙ୍କ ଅଧିକାର ଗ୍ରହଣୀୟ ନୁହେଁ ବୋଲି ବାଚସ୍ପତି ରାହୁଲ ନାର୍ଭେକର କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ୧୮ ମାସ ତଳେ ଉଦ୍ଧବ ଠାକରେଙ୍କ ବିରୋଧରେ ସିନ୍ଦେଙ୍କ ସହ ୪୦ ଶିବସେନା ବିଧାୟକ ବିଦ୍ରୋହ କରିଥିଲେ । ଏହାପରେ ରାଜ୍ୟରେ ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟର ‘ମହାବିକାଶ ଅଘାଡି’ ସରକାର ଭାଙ୍ଗି ଯାଇଥିଲା। ପରେ ସିନ୍ଦେ ଗୋଷ୍ଠୀ ବିଜେପି ସହ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ। ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ଏହି ମାମଲା ସୁପ୍ରିମକୋର୍ଟ ମଧ୍ୟ ଯାଇଥିଲା । ସିନ୍ଦେଙ୍କ ସହ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।