ହସପିଟାଲରୁ ଡିସଚାର୍ଜ ହେବ ‘ମିରାକଲ୍ ବେବି’

ସମ୍ବଲପୁର – ନବଜାତ ଅବସ୍ଥାରେ ମୃତ୍ୟୁକୁ ମାତ୍ ଦେଇ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇ ଭୀମସାରରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟା ବିଜୟିନୀ ଆଜି ଡିସଚାର୍ଜ ହେବ । ଡିସଚାର୍ଜ ପରେ ଶିଶୁ ଗୃହକୁ ଯିବ ବିଜୟିନୀ। ଗତ ମାସେ ହେଲା ଭୀମସାରରେ ବିଜୟିନୀର ଚିକିତ୍ସା କରାଯାଉଥିଲା।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ଲାରିପାଲି ନିକଟ ଜଙ୍ଗଲର ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିଲା ବିଜୟିନୀ । ଜନ୍ମ ହେବାର ପ୍ରାୟ ୫/୬ ଘଣ୍ଟା ପରେ ଶିଶୁକନ୍ୟାକୁ ତାହାର ମା’ ବୋରୱେଲ୍‌ରେ ଫିଙ୍ଗି ଦେଇଥିଲା । ବୋରୱେଲ ଭିତରୁ କଅଁଳା ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ତାକୁ ଉଦ୍ଧାର କରିବା ଅଭିଯାନ ଆରମ୍ଭ ହୋଇଥିଲା । ସାଢ଼େ ୬ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ପରେ ତାକୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହସପିଟାଲ ଷ୍ଟାଫ୍ ଶିଶୁକନ୍ୟାର ଏକୋଇଶିଆ ପାଳନ କରି ତାର ନାମ ବିଜୟିନୀ ରଖିଥିଲେ । ଏଣେ ତା’ର ମାଆର ପରିଚୟ ମିଳିଥିଲେ ମଧ୍ୟ ବିଜୟିନୀକୁ ତାଙ୍କୁ ହସ୍ତାନ୍ତର କରାଯିବ ନାହିଁ ପୋଲିସ କହିଛି । ମହିଳାଙ୍କର ମାନସିକ ବିକୃତି ଥିବା ସୂଚନା ମିଳିଛି।

Comments are closed.