ଜେଲ୍ ପରିସରରେ ପଡିଲା ବରମାଳା, ପୀଡିତାଙ୍କ ହାତ ଧରିଲେ ଅଭିଯୁକ୍ତ

ଭୁବନେଶ୍ୱର- ସାଧାରଣ ବିବାହ ଠାରୁ ଏହି ବାହାଘର ଥିଲା ଟିକେ ଅଲଗା ।ଏହି ବାହାଘରେ ବର ଓ ବରଯାତ୍ରୀ କନ୍ୟା ଘରକୁ ରୋଷଣୀ କରି ଯାଇନଥିଲେ । ବରଂ କନ୍ୟାପକ୍ଷ ରୋଷଣୀ କରି କନ୍ୟା ସହ ଜେଲରେ ପଞ୍ଚିଥିଲେ । ଜେଲ ପରିସରରେ ହୋଇଥିବା ମଣ୍ଡପରେ ପଡିଲା ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥି ହେଲେ ବର -କନ୍ୟା । ଭୁବନେଶ୍ବରର ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ଏଭଳି ଏକ ବିବାହ ସମ୍ପନ୍ନ ହୋଇଛି। ଜେଲ୍ ପ୍ରଶାସନର ଅନୁମତିରେ ଏହି ନିଆରା ବାହାଘର ହୋଇଛି।

ଝାରପଡା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବିବାହ ନେଇ ପୂର୍ବରୁ ମିଳିଥିଲା ଅନୁମତି । ଜେଲ ପରିସରରେ ନିର୍ମାଣ ହେଲା ବିବାହ ବେଦୀ । ପରେ କଏଦୀଙ୍କୁ ବିବାହ କରିବାକୁ ଜେଲରେ ସଜେଇ ହୋଇ ପହଞ୍ଚିଥିଲେ କନ୍ୟା । ବର ବେଶରେ ସଜେଇ ହୋଇଥିଲେ କଏଦୀ । କନ୍ୟା ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ମନ୍ତ୍ରପାଠ, ଜଳୁଥିଲା ହୋମ ନିଆଁ । ଏହାପରେ ବେଦୀରେ ବସିଥିଲେ କନ୍ୟା ଓ ବର । ବୈଦିକ ରୀତିନୀତି ଅନୁସାରେ ବର କନ୍ୟାଙ୍କ ପଡିଥିଲା ହାତଗଣ୍ଠି । ବିବାହ ଭୋଜି ବି ଜେଲରେ ହୋଇଥିଲା । ପୀଡ଼ିତାଙ୍କ ସହ ଏଭଳି ଭାବେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିଯୁକ୍ତ କଏଦୀ ।

କଏଦୀ ଜଣକ କନ୍ୟାଙ୍କୁ ପ୍ରେମ କରୁଥିଲେ । କିନ୍ତୁ ମନୋମାଳିନ୍ୟ କାରଣରୁ ସେ ପ୍ରେମିକାଙ୍କଠାରୁ ଦୂରେଇ ଯାଇଥିଲେ । ଏହାପରେ ପ୍ରେମିକା, ପ୍ରେମିକଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ଭିତ୍ତିରେ ପ୍ରେମିକଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ପରେ ସମସ୍ତ ନିଜ ନିଜର ଭୁଲ୍ ବୁଝିପାରିଥିଲେ । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ପରିବାର ଏ ନେଇ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ଲୋଡ଼ିଥିଲେ। ଝାରପଡା ଜେଲ୍ କର୍ତ୍ତୃପକ୍ଷ ମଧ୍ୟ କଏଦୀଙ୍କୁ ତାଙ୍କ ପ୍ରେମିକାଙ୍କ ସହ ବିବାହ ପାଇଁ ଅନୁମତି ଦେଇଥିଲେ। ଏହାପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟତାରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବିବାହ ଜେଲ୍ ପରିସରରେ ଧୁମଧାମରେ ସମ୍ପନ୍ନ ହୋଇଛି। ଏପରି ଏକ ବିବାହ ପାଇଁ ଜେଲ୍ କର୍ତ୍ତୃପକ୍ଷ ଓ ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ପ୍ରଶଂସା କରାଯାଇଛି।

Comments are closed.