ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ, ଇଡଲି ଅର୍ଡର କରିବା ପରେ ବୋମା ଭର୍ତ୍ତି ବ୍ୟାଗ୍ ରଖି ପଳାଇଥିଲା | News Room Odisha

ବେଙ୍ଗାଲୁରୁ କାଫେ ବିସ୍ଫୋରଣ: ସିସିଟିଭିରେ ଅଭିଯୁକ୍ତ ଚିହ୍ନଟ, ଇଡଲି ଅର୍ଡର କରିବା ପରେ ବୋମା ଭର୍ତ୍ତି ବ୍ୟାଗ୍ ରଖି ପଳାଇଥିଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ରସିଦ୍ଧ ରମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଅଭିଯୁକ୍ତ ସିସିଟିଭି ଫୁଟେଜରେ ଚିହ୍ନଟ ହୋଇଛି। ରାମେଶ୍ବରମ କାଫେରେ ବୋମା ରଖି ଫେରିବା ସମୟର ଏହି ଫୁଟେଜରେ ଅଭିଯୁକ୍ତ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଅଭିଯୁକ୍ତ କଳା ମାସ୍କ ପିନ୍ଧି ଥିବାରୁ ତା’ର ପୂରା ଚେହେରା ସ୍ପଷ୍ଟ ଭାବରେ ଦିଶୁନାହିଁ । ସେ ଏକ ଧଳା ରଙ୍ଗର ଟୋପି, କଳା ପ୍ୟାଣ୍ଟ୍ ଓ ହାଲକା ନୀଳରଙ୍ଗର ଫୁଲ୍ ସାର୍ଟ ପିନ୍ଧିଛି । ସେ ହାତରେ ପିନ୍ଧିଥିବା ଘଣ୍ଟାକୁ ଦେଖି ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଅଭିଯୁକ୍ତର ବୟସ ୨୫ ରୁ ୩୦ ଭିତରେ ହେବ ।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି କାଫେ ନିକଟ ବସ୍‌ରୁ ଓହ୍ଲାଇ ଥିଲେ । ସେ ଦିନ ୧୧:୩୦ରେ କାଫେରେ ପ୍ରବେଶ କରି ଇଡଲି ଅର୍ଡର କରିଥିଲେ । ଏହାପରେ ସେ କାଉଣ୍ଟରରେ ପେମେଣ୍ଟ କରି ଟୋକେନ୍ ନେଇଥିଲେ । ପ୍ରାୟ ୧୧:୪୫ ମିନିଟରେ ସନ୍ଦିଗ୍ଧ ବ୍ୟକ୍ତି ଜଣକ କାଫେର ଡଷ୍ଟବିନ୍ ନିକଟରେ ଏକ ବ୍ୟାଗ୍ ରଖି ଚାଲିଯାଇଥିଲେ । ଏହାର ଘଣ୍ଟାଏ ପରେ ବ୍ୟାଗ୍ ରଖାଯାଇଥିବା ସ୍ଥାନରେ ବିସ୍ଫୋରଣ ହୋଇଥିଲା ।
ବେଙ୍ଗାଲୁରୁ ହ୍ବାଇଟଫିଲ୍ଡ ଅଞ୍ଚଳରେ ଥିବା ରାମେଶ୍ବରମ କାଫେରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧ଟାରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୧୦ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ସମୟରେ କାଫେରେ ୩୦ ରୁ ୪୦ ଲୋକ ଥିଲେ । ବେଙ୍ଗାଲୁରୁ ପୋଲିସ ସହ ଏନ୍ଆଇଏ ଏହି ଘଟଣାର ତଦନ୍ତ କରୁଛି ‌।