ଭାରତ ନିର୍ବାଚନ କମିଶନଙ୍କ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ ମିତା ଦିଦି ’ | News Room Odisha

ଭାରତ ନିର୍ବାଚନ କମିଶନଙ୍କ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ ମିତା ଦିଦି ’

ଭୁବନେଶ୍ୱର – ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍‌ଓ ମାସ୍କଟ ‘ ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲ ଓ ମାସ୍କଟ ‘ ମିତା ଦିଦି ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍‌ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀ – ବିଏଲ୍ଓ ମାନଙ୍କର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥ ସ୍ତରୀୟ ଅଧିକାରୀମାନେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ବ ତୁଲାଇଥାନ୍ତି। ବାହାରକୁ ଜଣାପଡୁ ନଥିଲେ ମଧ୍ଯ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ଵ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର ‘ ଅକୀର୍ତ୍ତିତ ନାୟକ ’ ଭାବେ ଅଭିହିତ କରାଯାଏ ।

ଗଣତନ୍ତ୍ରକୁ ତୃଣମୂଳ ସ୍ତରରେ ଶକ୍ତିଶାଳୀ କରିବାରେ ବିଏଲଓ ମାନଙ୍କ ଦାୟିତ୍ଵକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତି ।

ବର୍ତ୍ତମାନ ଓଡ଼ିଶାର ‘ ମିତା ଦିଦି ’ ସମଗ୍ର ଦେଶର ବୁଥସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ ‘ ମିତା ଦିଦି ’ ସ୍ଥାନ ପାଇବା ସମସ୍ତ ବୁଥ ସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥ ସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ଵ ନିର୍ବାହ କରିବା ପାଇଁ ଅଧ‌ିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।