ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ତତ୍ପରତା: ତିନି ପଡୋଶୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ | News Room Odisha

ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ତତ୍ପରତା: ତିନି ପଡୋଶୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ

ଭୁବନେଶ୍ୱର – ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଭିଡିଓ କନଫରେନ୍‌ସିଂ ଜରିଆରେ ପଡୋଶୀ ପଶ୍ଚିମବଙ୍ଗ , ଛତିଶଗଡ ଏବଂ ଝାଡଖଣ୍ଡ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ । ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରିବା ସହ ଶାନ୍ତିପୂର୍ଣ୍ଣ , ଅବାଧ , ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବୈଠକରେ ମତାପ୍ରକାଶ ପାଇଥିଲା ।

ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ କରାଯିବା ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ମାଓ ପ୍ରବଣ ଜିଲ୍ଲାଗୁଡିକରେ ନିର୍ବାଚନ ସମ୍ପର୍କିତ ହିଂସା , ରାଜ୍ୟର ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ , ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ , ଅବକାରୀ ଧରପଗଡ଼ , ବେଆଇନ ମାରଣାସ୍ତ୍ର , ବେଆଇନ ମଦ କାରବାର , ବେଆଇନ ଟଙ୍କା କାରବାର ଉପରେ ରୋକ୍ ଲଗାଯିବା ନେଇ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହାସହ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଖବର ପରିବେଷଣ ରୋକାଯିବା ସଂକ୍ରାନ୍ତରେ ମଧ୍ଯ ବୈଠକରେ ମତପ୍ରକାଶ ହୋଇଥିଲା । ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ( ମୁଖ୍ୟାଳୟ ) ଆର.କେ. ଶର୍ମା , ( ଗୁଇନ୍ଦା ) ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ , ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ( ଆଇନ ଓ ଶୃଙ୍ଖଳା ) ସଞ୍ଜୟ କୁମାର , ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ( ଅପରେସନ ) , ଏସ. ଦେବଦତ୍ତ ସିଂ , ଆଇ.ଜି.ପି ( ପ୍ରୋଭିଜନିଙ୍ଗ ) , ୟତିନ୍ଦ୍ର କୋୟଲ , ଆଇ.ଜି.ପି ( ଗୁଇନ୍ଦା ) , ଅନୁପ ସାହୁ , ଡି.ଆଇ.ଜି.ପି ( ଏସଆଇଡବ୍‌ଲୁ ) , ଡଃ ଉମାଶଙ୍କର ଦାଶ , ଏସପି ( ହେଡକ୍ୱାର୍ଟସ ) , ବି . ଗଙ୍ଗାଧରଙ୍କ ସମେତ ବିଭିନ୍ନ ରେଞ୍ଜର ଆଇ.ଜି , ଡି.ଆଇ.ଜି ଏବଂ ସୀମାବର୍ତ୍ତୀ ଜିଲ୍ଲା ଗୁଡିକର ଏସପିମାନେ ବୈଠକରେ ଉପସ୍ଥିତ ଥିଲେ ।