ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ୨୦୨୪ ପାଳିତ

ଭୁବନେଶ୍ୱର – ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିଁ । ତେଣୁ ଓଡ଼ିଶାରେ ଏ ନେଇ ଆମେମାନେ ଭାଗ୍ୟବାନ । ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ ଜଙ୍ଗଲ ଓ ବନ୍ୟଜଙ୍କ ସୃଷ୍ଟି ଓ ସୁରକ୍ଷା ଅପରିହାର୍ଯ୍ୟ । ଆମେ ଯଦି ଏଗୁଡ଼ିକର ସୁରକ୍ଷା କରିବା ନାହିଁ, ତା’ହେଲେ ଭବିଷ୍ୟତ ପିଢ଼ି ଆମକୁ କ୍ଷମା ଦେବେ ନାହିଁ ବୋଲି ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଲ୍ଲେଖ କରିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଶ୍ଵ ବନ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଉଭୟଙ୍କ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରି ଆମକୁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଏହି ଗୁରୁଦାୟିତ୍ଵକୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ପୂର୍ବକ ସଠିକ ଭାବେ ନିର୍ବାହ କରିବା ଉଚିତ । ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ବିବରଣୀ – ୨୦୨୧ ଆକଳନ ଅନୁଯାୟୀ ଗତ ଦୁଇ ମୂଲ୍ୟାଙ୍କନ ବର୍ଷରେ ଅର୍ଥାତ୍ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ଏବଂ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଛି । ଜଙ୍ଗଲ ଅଭିବୃଦ୍ଧି ଦ୍ଵାରା ବର୍ଷା ଅଧିକ ହେବା ସହ ଭୂପୃଷ୍ଠ ପାନୀୟ ଜଳ ଓ ପ୍ରଦେଶ ସମସ୍ୟା ହ୍ରାସ ପାଇଥାଏ । ତେଣୁ ଆମକୁ ବୃକ୍ଷରୋପଣ ଆହୁରି ବ୍ୟାପକ କରିବାକୁ ପଡ଼ିବ । ଏଥି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତ ବିଶ୍ଵ ବନ ଦିବସ ପାଳନର ବିଷୟବସ୍ତୁ ‘ ଜଙ୍ଗଲ ଓ ଅଭିନବୀକରଣ ’ ଉପରେ ଆଲୋକପାତ କରିଥିଲେ । ଜଙ୍ଗଲକୁ ପଲିଥିନ ମୁକ୍ତ କରିବା ପାଇଁ ବିଭାଗ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯିବ ।

ଅଭିନବୀକରଣ ଅଧୀନରେ ଡ୍ରୋନ୍ ମାଧ୍ୟମରେ ହାତୀଙ୍କ ଗଣନା , ନନ୍ଦନକାନନକୁ ବିଶ୍ଵସ୍ତରୀୟ ପ୍ରାଣୀ ଉଦ୍ୟାନରେ ରୂପାନ୍ତରୀକରଣ ଆଦି ଅନେକ ପଦକ୍ଷେପ ବିଭାଗ ଗ୍ରହଣ କରିଛି ବୋଲି ଦେବୀଦତ୍ତ ବିଶ୍ଵାଳ ସୂଚନା ଦେଇଛନ୍ତି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( ବନ୍ୟାପ୍ରାଣୀ ) ସୁଶାନ୍ତ ନନ୍ଦ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ପାଇଁ ବନ୍ୟପ୍ରାଣୀଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜ୍ୟରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗକୁ ଆହୁରି ବ୍ୟାପକ କରାଯିବ । ତା’ସହ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଫରେଷ୍ଟ ଗାର୍ଡ , ଫରେଷ୍ଟର ଏବଂ ଫରେଷ୍ଟ ରେଞ୍ଜର ପଦବୀର ୪୦ ଜଣ ବନ କ୍ଷେତ୍ର କର୍ମଚାରୀ / ଅଧିକାରୀଙ୍କୁ ବିଶ୍ଵ ବନ ଦିବସ ପୁରସ୍କାର – ୨୦୨୪ ପ୍ରଦାନ କରାଯାଇଥିଲା । ତା’ସହ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଂକଳନ କରି ‘ ଓଡ଼ିଶା ବଳ ବିଭାଗ – ୨୦୨୪୫ ହାଇଲାଇଟ୍ ‘ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ( ସୁରକ୍ଷା ଓ ବିରସ୍ଥାୟୀ ପରିଚାଳନା ) ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ପ୍ରଦାନ ଅବସରରେ କହିଲେ ଯେ ଜଙ୍ଗଲ ଆଉ ସ୍ଥାନୀୟ ସମ୍ବଳ ହୋଇ ରହିନାହିଁ । ବର୍ତ୍ତମାନ ଏହା ବିଶ୍ଵର ସମ୍ବଳ ଭାବରେ ପରିଗଣିତ ହେଉଛି । ପ୍ରକୃତି ରହିଲେ ଆମେ ରହିବା ବୋଲି ସେ ପ୍ରକାଶ କରିଛନ୍ତି । ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବିଭାଗ ପକ୍ଷରୁ ଜୟଦେବ ଭବନଠାରେ ଓଡ଼ିଶାର ବନ୍ୟ ଜନ୍ତୁ , ନନ୍ଦନକାନନ , ଇକୋ – ଟୁରିଜିମ୍ , ଔଷଧୀୟ ବୃକ୍ଷ , ବିଭାଗୀୟ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବେସିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି ।

Comments are closed.