ରାଜ୍ୟସ୍ତରୀୟ ଓଡ଼ିଶା ଦିବସ : ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ 

ଭୁବନେଶ୍ୱର – ଆଜି ପବିତ୍ର ଓଡ଼ିଶା ଦିବସ । ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ୧୯୩୬ ମସିହାରେ ଆଜିର ଦିନରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ଵପ୍ନ ସାକାର ହୋଇଥିଲା । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଇତିହାସ ସୃଷ୍ଟି କରିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଓଡିଶା ଦିବସ ସମାରୋହକୁ ଉଦ୍‌ଘାଟନ କରିଛନ୍ତି । ଭର୍ଚୁଆଲ ପ୍ଲାଟଫର୍ମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥ‌ିବା ଓଡିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶା ମାଟିର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ , ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ , ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ , ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ , ଫକୀର ମୋହନ ସେନାପତି , ପଣ୍ଡିତ ଗୋଦାବରୀଶ ମିଶ୍ର , ମହାରାଜା ହରିହର ମର୍ଦ୍ଦରାଜଙ୍କ ଅସୀମ ତ୍ୟାଗ ଓ ନିରନ୍ତର ସଂଗ୍ରାମ ଯୋଗୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ ରଖିଥ‌ିବା ମହାମନୀଷୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ଭକ୍ତକବି ମଧୁସୂଦନ ରାଓ , କବିବର ରାଧାନାଥ ରାୟ , କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର , ନାରୀକବି କୁନ୍ତଳା କୁମାରୀ ସାବତ , କର୍ମବୀର ଗୌରୀଶଙ୍କର ରାୟଙ୍କ ପରି ସାହିତ୍ୟ ମହାରଥୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ବୋଲି ଉଲ୍ଲେଖ କରି ଏ ମାଟିର ସ୍ଵାଭିମାନର ସୁରକ୍ଷା ପାଇଁ ଜୟୀ ରାଜଗୁରୁ , ବକ୍ସି ଜଗବନ୍ଧୁ , ବୀର ସୁରେନ୍ଦ୍ର ସାଏ , ଶହୀଦ ବାଜି ରାଉତ , ଶହୀଦ ଲକ୍ଷ୍ମଣ ନାଏକଙ୍କ ପରି ସଂଗ୍ରାମୀମାନଙ୍କ ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ଓଡ଼ିଶାର କଳା ଓ ସଂସ୍କୃତି ଦେଶବିଦେଶରେ ଆମ ପରିଚୟକୁ ଆହୁରି ଉଜ୍ଜ୍ଵଳ କରୁଛି । ଦେଶବିଦେଶରେ ରହୁଥ‌ିବା ଓଡ଼ିଆ ଭାଇ ଓ ଭଉଣୀମାନେ ସେମାନଙ୍କ ଦକ୍ଷତା ଦ୍ଵାରା ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି । ଏ ପବିତ୍ର ଭୂମି ଯୁଗେ ଯୁଗେ ସାରା ବିଶ୍ୱକୁ ଶାନ୍ତି , ପ୍ରେମ , ଅହିଂସା ଓ ସଦ୍‌ଭାବନାର ବାର୍ତ୍ତା ଦେଇଆସିଛି । ଏ ମାଟି ପ୍ରତି ଆମ ସମସ୍ତଙ୍କର ଦାୟିତ୍ଵ ରହିଛି ବୋଲି ଉଲ୍ଲେଖ କରିବା ସହ ଆମ

ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ମାଟିର ଅସ୍ମିତା ଓ ସ୍ଵାଭିମାନ ରକ୍ଷା ପାଇଁ ମିଳିତ ଭାବେ କାମ କରିଚାଲିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ଏହି ଉତ୍ସବରେ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ , ପଞ୍ଚାୟତିରାଜ ଓ ପାନୀୟ ଜଳ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସଭାପତିତ୍ଵ କରି କହିଲେ ଯେ ଗୌରବମୟ ଇତିହାସ , ଉତ୍କୃଷ୍ଟ କଳା –ଭାସ୍କର୍ଯ୍ୟ , ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନଦୀ –ପର୍ବତବେଷ୍ଟିତ ଭୂଗୋଳ , ସମୃଦ୍ଧ ଭାଷା – ସାହିତ୍ୟ – ସଂସ୍କୃତି – ପରମ୍ପରା , ବିପୁଳ ଖଣିଜ ସମ୍ପଦ , ସୁଦୀର୍ଘ ବେଳାଭୂମି ଓ ପର୍ଯ୍ୟଟନ ବିଭବ ଓଡ଼ିଶାକୁ ଭାରତବର୍ଷର ଏକ ଅନନ୍ୟ ଓ ଅନବଦ୍ୟ ରାଜ୍ୟ ଭାବେ ପ୍ରତିପାଦିତ କରିଛି । ଆମର ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇ ଆମକୁ ବିଶ୍ୱର ଏକ ଶ୍ରେଷ୍ଠ ଜାତିରେ ପରିଣତ କରିଛି ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଲେ ଆଜି ୮୮ ବର୍ଷ ଅତିକ୍ରମ କରିସାରିଛି । ଦେଶର ପ୍ରଥମ ଭାଷା ଭିଭିକ ରାଜ୍ୟ ଭାବେ ଓଡ଼ିଶା ମହାମନୀଷୀଙ୍କ ଅସୀମ ତ୍ୟାଗ ଓ ବଳିଦାନ ପରେ ଆମେ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲୁ । ଓଡ଼ିଆ ଜାତି କଳିଙ୍ଗ ଯୁଦ୍ଧ ପରେ ସମଗ୍ର ବିଶ୍ଵକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲା । ଆଜି ଓଡ଼ିଆ ଭାଷା ଷଷ୍ଠତମ ଶାସ୍ତ୍ରୀୟ ଭାଷାର ମାନ୍ୟତା ଲାଭ କରିଛି । ଆମ ସମସ୍ତଙ୍କର ମିଳିତ ପ୍ରୟାସ ଓ ଲକ୍ଷ୍ୟ ରହିଲେ ଓଡ଼ିଶା ନିଶ୍ଚୟ ଏକ ସମୃଦ୍ଧ ଓ ଉନ୍ନତ ରାଜ୍ୟରେ ପରିଗଣିତ ହୋଇପାରିବ ବୋଲି ସେ କହିଥିଲେ । ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍. କାର୍ତ୍ତିକେୟନ୍ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ଵାଗତ ଭାଷଣ ପ୍ରଦାନ ଅବସରରେ ଓଡ଼ିଶା ଦିବସ ଆଧୁନିକ ଓଡ଼ିଶାର ଇତିହାସରେ ଏକ ମହତ୍ତ୍ଵପୂର୍ଣ୍ଣ ଦିବସ ବୋଲି ଉଲ୍ଲେଖ କରିଥିଲେ । ସମସ୍ତ ଓଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବ ତଥା ସ୍ଵାଭିମାନର ଦିବସ । ଅଗଣିତ ଓଡ଼ିଆଙ୍କ ନିରବଚ୍ଛିନ୍ନ ସଂଗ୍ରାମ ଓ ନିଃସ୍ୱାର୍ଥପର ନେତୃତ୍ୱ , ତ୍ୟାଗ ଓ ସାଧନାର ଫଳସ୍ଵରୂପ ଓଡ଼ିଶା ଆଜି ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଛି । ଏହି ଭାଷାଭିଭିକ ରାଜ୍ୟ ଗଠନ ପାଇଁ ଯେଉଁ ବରପୁତ୍ରମାନଙ୍କର ନିଷ୍ଠାପର ଅବଦାନ ରହିଛି ସେମାନଙ୍କୁ ଆଜି ସ୍ମରଣ କରିବାର ଦିନ ବୋଲି ସେ କହିଥିଲେ । ପ୍ରମୁଖ ଶାସନ ସଚିବ ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ପ୍ରେରିତ ବାର୍ତ୍ତା ପାଠ କରିଥିଲେ । ଶେଷରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ ହୋଇଥିଲା । ସଭା ପରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ , ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ – ୨୦୨୪ ମହାସମାରୋହରେ ପାଳିତ ହୋଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Comments are closed.