ସ୍ମୃତିର ଆଇନାରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ

ବିଜନ କୁମାର ମହାପାତ୍ର 

୧୯୫୧-୫୨ ମସିହାରେ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଉପରେ ସାରାବିଶ୍ୱର ଥିଲା ନଜର ରହିଥିଲା । ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବା ଏକ ନୂତନ ସ୍ୱାଧୀନ ଦେଶରେ ସାଧାରଣ ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହେବା ନେଇ ସନ୍ଦେହ ଉପୁଜିଥିଲା । ବିଶେଷକରି ପାଶ୍ଚାତ୍ୟ ଜଗତ ଏ ଦିଗରେ ନିଶ୍ଚିତ ନ ଥିଲେ । କିନ୍ତୁ ସ୍ୱାଧୀନତା ପ୍ରାପ୍ତିର ମାତ୍ର ୫ ବର୍ଷ ମଧ୍ୟରେ ସଫଳତାପୂର୍ବକ ନିର୍ବାଚନ କରି ପାଶ୍ଚାତ୍ୟ ପୂର୍ବାନୁମାନକୁ ଭୁଲ୍ ସାବ୍ୟସ୍ତ କରିଥିଲା ଭାରତ ।

୧୯୪୭ ମସିହାରେ ସ୍ୱାଧୀନତା ପ୍ରାପ୍ତି ହୋଇଥିଲେ ମଧ୍ୟ ଚାରିବର୍ଷ ପରେ ଅନୁଷ୍ଠିତ ହୋଇଥିଲା ସ୍ୱାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ । ୧୯୫୦ ମସିହା ଜାନୁଆରୀ ୨୬ ପୂର୍ବରୁ ଏକ ‘ବ୍ରିଟିଶ ଡୋମିନିଅନ’ ଭାବେ ଥିଲା ଭାରତର ସ୍ଥିତି । ସମ୍ବିଧାନ ଗୃହୀତ ହୋଇ କାର୍ଯ୍ୟକାରୀ ହେବା ପରେ ହିଁ ଏକ ସାଧାରଣତନ୍ତ୍ର ଭାବେ ଆତ୍ମପ୍ରକାଶ କରିଥିଲା ଭାରତ । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଗୃହୀତ ହୋଇଥିଲା ଭାରତର ନୂଆ ସମ୍ବିଧାନ । ସାଧାରଣ ନିର୍ବାଚନ ଯାଏଁ ସମ୍ବିଧାନ ସଭା ହିଁ ଭାରତର ଅନ୍ତରୀଣ ପାର୍ଲାମେଂଟ ଭାବେ କାର୍ଯ୍ୟ କରିଥିଲା । ଆଉ ଜବାହରଲାଲ ନେହରୁଙ୍କ ନେତୃତ୍ୱରେ ଏକ ଅନ୍ତରୀଣ ସରକାର ଗଠିତ ହୋଇଥିଲା । ନୂଆ ସମ୍ବିଧାନ ଅନୁସାରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିଲା । ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା ଜରିଆରେ ନିର୍ବାଚନ ସମ୍ପାଦନ ପାଇଁ ସମ୍ବିଧାନରେ ଉଲ୍ଲେଖ କରାଯାଇଥିଲା, ଯାହା କି ଥିଲା ଏକ ପ୍ରଶଂସନୀୟ ପଦକ୍ଷେପ । ମଧ୍ୟବର୍ତ୍ତୀକାଳୀନ ପାର୍ଲାମେଣ୍ଟରେ ଗୃହୀତ ଜନ ପ୍ରତିନିଧି ଅଧିନିୟମ -୧୯୫୦ ଅନୁସାରେ ଭୋଟରଙ୍କ ଯୋଗ୍ୟତା ,ଭୋଟର ତାଲିକା ପ୍ରସ୍ତୁତି ଓ ପ୍ରକାଶନ ନେଇ ମାନଦଣ୍ଡ ନିର୍ଦ୍ଧାରିତ ହୋଇଥିଲା । ଏହି ଅଧିନିୟମ ଅନୁସାରେ ଭୋଟ୍ ଦେବା ପାଇଁ ସର୍ବନିମ୍ନ ବୟସସୀମା ଥିଲା ୨୧ ବର୍ଷ । ପ୍ରଥମ ନିର୍ବାଚନରୁ ହିଁ ମହିଳାମାନଙ୍କୁ ମିଳିଥିଲା ମତଦାନ ଅଧିକାର ।

ସୁକୁମାର ସେନ, ଭାରତର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର

୧୯୫୦ ଜାନୁଆରୀ ୨୫ ତାରିଖରେ ଗଠନ ହୋଇଥିଲା ଭାରତର ନିର୍ବାଚନ କମିଶନ । ଭାରତୀୟ ପ୍ରଶାସନିକ ସେବାର ଜଣେ ଦକ୍ଷ ଅଧିକାରୀ ତଥା ପଶ୍ଚିମବଙ୍ଗ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁକୁମାର ସେନ ହୋଇଥିଲେ ଭାରତର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର । ୧୯୫୦ ମାର୍ଚ୍ଚ ୨୧ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ ସୁକୁମାର ସେନ୍ । ୧୯୫୧ ମସିହା ବସନ୍ତ ଋତୁ ସୁଦ୍ଧା ନିର୍ବାଚନ ହେବ ବୋଲି ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ନେହରୁ ଘୋଷଣା କରିଥିଲେ ମଧ୍ୟ ଏହା ଆଦୌ ସମ୍ଭବ ନୁହେଁ ବୋଲି ଜାଣିଥିଲେ ସୁକୁମାର ସେନ୍ । କୌଣସି ପୂର୍ବ ଅଭିଜ୍ଞତା ଓ ଭିତ୍ତିଭୂମି ନ ଥାଇ ଏକ ସମସ୍ୟା ବହୁଳ ବିଶାଳ ଦେଶରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ କରିବା ନିଶ୍ଚିତ ଭାବେ ଥିଲା ଏକ କଠିନ ବ୍ୟାପାର ।

ଅନେକ ଆଶାଆଶଙ୍କା ମଧ୍ୟରେ ୧୯୫୦ ମସିହା ନଭେମ୍ବରରେ ପ୍ରକାଶ ପାଇଥିଲା ପ୍ରାରମ୍ଭିକ ଭୋଟର ତାଲିକା । ୧୯୫୧ ମାର୍ଚ୍ଚ ସୁଦ୍ଧା ସମସ୍ତ ରାଜ୍ୟର ପ୍ରାଥମିକ ଭୋଟର ତାଲିକା ପ୍ରକାଶିତ ହୋଇଥିଲା । ସେହିବର୍ଷ ନଭେମ୍ବରରେ ପ୍ରକାଶ ପାଇଥିଲା ଚୂଡାନ୍ତ ଭୋଟର ତାଲିକା । ଉତ୍ତର ଭାରତରେ ଅଧିକାଂଶ ମହିଳା ଭୋଟରଙ୍କ ନାମ ପଞ୍ଜିକରଣ କ୍ଷେତ୍ରରେ ଏକ ସାମାଜିକ ସମସ୍ୟା ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଭୋଟରା ତାଲିକାରେ ଅନେକ ମହିଳା ନିଜ ନିଜ ନାଁରେ ପଞ୍ଜିକରଣ ନ କରି କାହାର ମା’ ବା କାହାର ସ୍ତ୍ରୀ ନାଁରେ ପଞ୍ଜିକୃତ କରିଥିଲେ । କିନ୍ତୁ ଏଥିରେ କଡା ଆପତ୍ତି ପ୍ରକାଶ କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନ୍ । ନିଜ ନିଜ ନାଁରେ ମହିଳା ଭୋଟରମାନେ ଯେପରି ଭୋଟର ତାଲିକାରେ ନିଜକୁ ପଞ୍ଜୀକୃତ କରନ୍ତି, ତାହା ନିଶ୍ଚିତ କରିବାକୁ ନିଜ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିଛି ସଂଶୋଧନ ଓ ସମୀକ୍ଷା ପରେ ଶେଷରେ ଦେଶବ୍ୟାପୀ ( ଜାମ୍ମୁ ଓ କାଶ୍ମୀରକୁ ବାଦ୍ ଦେଇ ) ମୋଟ ୧୭ କୋଟି ୩୨ ଲକ୍ଷ ଭୋଟରଙ୍କୁ ନେଇ ପ୍ରକାଶ ପାଇଥିଲା ଚୂଡାନ୍ତ ତାଲିକା । ଭୋଟରଙ୍କ ମଧ୍ୟରେ ୪୫ ପ୍ରତିଶତ ଥିଲେ ମହିଳା । ସଂଖ୍ୟାଗରିଷ୍ଠ ଭୋଟର ନିରକ୍ଷର ଥିବାରୁ ସେମାନଙ୍କ ସୁବିଧା ପାଇଁ ଅଭିନବ ଉପାୟ ଆପଣାଇଥିଲେ ନିର୍ବାଚନ କମିଶନ । ସାଧାରଣ ଲୋକଙ୍କ ଦୈନନ୍ଦିକ ଜୀବନ ସହ ଜଡିତ ମାଟି ଦୀପ, ଲଣ୍ଠନ, ବଳଦ ଗାଡିର ଛବିଳ ଚିହ୍ନକୁ ରାଜନୈତିକ ଦଳଗୁଡିକର ଚିହ୍ନ ଭାବେ ଆବଂଟିତ କରାଯାଇଥିଲା । କେବଳ ଏତିକି ନୁହେଁ, ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ଗୋଟିଏ ରଙ୍ଗୀନ ବ୍ୟାଲଟ ବକ୍ସ ବ୍ୟବସ୍ଥା କରାଯାଇଥିଲା । ସେହି ବ୍ୟାଲଟ ବକ୍ସରେ ସଂପୃକ୍ତ ପ୍ରାର୍ଥୀଙ୍କ ନାମ ଓ ସେ ପ୍ରତିନିଧିତ୍ୱ କରୁଥିବା ଦଳର ଚିହ୍ନ ଛପା ଯାଇଥିଲା । ଏହାଦ୍ୱାରା ନିରକ୍ଷର ଭୋଟରମାନଙ୍କ କାମ ଆହୁରି ସହଜ ଓ ସରଳ ହୋଇପାରିଥିଲା । ଏହି ପ୍ରକ୍ରିୟା ପାଇଁ ପ୍ରାୟ ୨ ଲକ୍ଷ ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଥିଲା ୨୦ ଲକ୍ଷ ଷ୍ଟିଲ ନିର୍ମିତ ବ୍ୟାଲଟ ବକ୍ସ ।

ପୋଲିଂ ବୁଥରେ ଲମ୍ବା ଲାଇନ

ସ୍ୱାଧୀନ ଭାରତର ସର୍ବପ୍ରଥମ ନିର୍ବାଚନ ସମସ୍ତଙ୍କ ପାଇଁ ଥିଲା ଏକ ନୂଆ ଅନୁଭୂତି । ୮୦ ପ୍ରତିଶତ ଭୋଟର ଥିଲେ ନିରକ୍ଷର । ନିର୍ବାଚନ ପ୍ରକ୍ରିୟା ଓ ମତଦାନ ବାବଦରେ ଭୋଟରଙ୍କୁ ଅବଗତ କରାଇବା ଥିଲା ବଡ ଆହ୍ୱାନ । ତେଣୁ ନିର୍ବାଚନଙ୍କ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିଲା ‘ମୋକ୍ ପୋଲ୍‌’ । ଏପରିକି ନିର୍ବାଚନୀ ପ୍ରକ୍ରିୟା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇ ସଚେତନତା ଅଭିଯାନ ସ୍ୱରୂପ ଦେଶର ତିନି ହଜାର ସିନେମାହଲରେ ପ୍ରଦର୍ଶିତ କରାଯାଇଥିଲା । ରେଡିଓ, ଖବରକାଗଜରେ ନିର୍ବାଚନ ସମ୍ପର୍କିତ ବାର୍ତ୍ତା ଓ ବିଜ୍ଞାପନ ଦିଆଯାଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଥିଲେ ନିର୍ବାଚନ କମିଶନ ।

ନିର୍ବାଚନ ପ୍ରଚାର

ବିଭିନ୍ନ ରାଜ୍ୟର ପ୍ରସ୍ତୁତି, ଯୋଗାଯୋଗ ବ୍ୟବସ୍ଥା, ପାଣିପାଗ ଓ ଭୌଗଳିକ ସ୍ଥିତିକୁ ବିଚାରକୁ ନେଇ ନିର୍ବାଚନ ପାଇଁ ମତଦାନ ତାରିଖ ସ୍ଥିର କରିଥିଲେ ନିର୍ବାଚନ କମିଶନ । ଦେଶର ଅଧିକାଂଶ ରାଜ୍ୟରେ ୧୯୫୨ ମସିହାର ପ୍ରାରମ୍ଭରେ ନିର୍ବାଚନ ପାଇଁ ଆରମ୍ଭ ହୋଇଥିଲା ଭୋଟିଂ । କିନ୍ତୁ ପ୍ରତିକୂଳ ପାଗ ଆଶଙ୍କାରେ ୧୯୫୧ ମସିହା ଅକ୍ଟୋବର ୨୫ ତାରିଖରେ ହିଁ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ପାଇଁ ପ୍ରଥମେ ହୋଇଥିଲା ମତଦାନ । ହିମାଚଳ ପ୍ରଦେଶର ଛିନି ଓ ପଙ୍ଗି ତହସିଲର ଭୋଟରମାନେ ଦେଶର ସର୍ବପ୍ରଥମ ନିର୍ବାଚନରେ ପ୍ରଥମେ ଭୋଟ୍ ଦେଇଥିଲେ ।
ଲୋକସଭା ସହ ଅନେକ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଏକସଙ୍ଗେ ହୋଇଥିଲା ମତଦାନ । ୧୯୫୧ ମସିହା ଡିସେମ୍ବର ୧୦ ତାରିଖରେ ଦେଶର ଅବଶିଷ୍ଟ ଅଂଚଳରେ ଆରମ୍ଭ ହୋଇଥିଲା ଭୋଟିଂ । ଟ୍ରାଭାଙ୍କର-କୋଚିନ ( ବର୍ତ୍ତମାନର କେରଳ )ର ଥିରୁଭେଲ୍ଲା ଓ ଥ୍ରିସୁର ଲୋକସଭା ଆସନରେ ପ୍ରଥମେ ଭୋଟ୍ ପଡିଥିଲା । ୧୯୫୧ ମସିହା ଡିସେମ୍ବରରୁ ୧୯୫୨ ଫେବ୍ରୁଆରୀ ମଧ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଥିଲା ମତଦାନ । ଲୋକସଭା ନିର୍ବାଚନରେ ମୋଟ୧ ହଜାର ୮୭୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୧୫ ହଜାର ୩୬୧ । ସେତେବେଳର ବ୍ୟବସ୍ଥା ଅନୁସାରେ କିଛି ଲୋକସଭା ଆସନରେ ଜଣେ ପରିବର୍ତ୍ତେ ଦୁଇ ଜଣ ସାଂସଦ ନିର୍ବାଚିତ ହେଉଥିଲେ । ଏଭଳି ଭାବେ ୮୬ଟି ଲୋକସଭା ଆସନରେ ଦୁଇ ଜଣ ପ୍ରାର୍ଥୀ ନିର୍ବାଚିତ ହେବା ବିଧାନ ଥିଲା । ୩୧୪ ଆସନରେ ଜଣେ ଲେଖାଏଁ ସାଂସଦ ଓ ନର୍ଥ ବେଙ୍ଗଲ ଆସନରୁ ତିନି ଜଣ ସାଂସଦ ନିର୍ବାଚିତ ହେବ ବ୍ୟବସ୍ଥା ଥିଲା । ଏହି ବ୍ୟବସ୍ଥା ଅନୁସାରେ ପ୍ରଥମ ସାଧାରଣ ନିର୍ବାଚନରେ ୪୦୧ ଲୋକସଭା ଆସନରେ ମତଦାନ ହୋଇଥିଲା ଓ ୪୮୯ ପ୍ରାର୍ଥୀ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ । ଗୋଟିଏ ଆସନରୁ ଏକାଧିକ ସଦସ୍ୟ ନିର୍ବାଚିତ ହେବା ବ୍ୟବସ୍ଥା ୧୯୬୨ ମସିହାରେ ଉଚ୍ଛେଦ କରାଯାଇଥିଲା ।

ଏକ ଟଙ୍କିଆ ନୋଟ୍ ନୋଟ୍ ଭଳି ଥିଲା ବ୍ୟାଲଟ ପେପରର ଆକାର ଓ ଏହାର ରଙ୍ଗ ଥିଲା ଗୋଲାପୀ । ପୋଲିଂ ଷ୍ଟେସନରେ ଭୋଟରମାନେ ବ୍ୟାଲଟ ପେପର ନେଇ ସେଠାରେ ଥିବା ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କ ବକ୍ସରେ ପକାଉଥିଲେ । ପ୍ରଥମ ନିର୍ବାଚନରୁ ହିଁ ଭୋଟରଙ୍କ ଅଙ୍ଗୁଳିରେ ଅଲିଭା କାଳି ଲଗାଇବା ପରମ୍ପରା ଆରମ୍ଭ ହୋଇଥିଲା । ଡବଲ୍ ଭୋଟିଂ ଏଡାଇବା ପାଇଁ ଏଭଳି ବ୍ୟବସ୍ଥା ଆପଣାଇଥିଲେ ନିର୍ବାଚନ କମିଶନ । ଏହି ପରମ୍ପରା ଆଜି ଯାଏଁ ଜାରି ରହିଛି ।

ଜବାହରଲାଲ ନେହେରୁଙ୍କ ମତଦାନ

ପ୍ରଥମ ସାଧାରଣ ନିର୍ବାଚନରେ ୧୪ଟି ଦଳକୁ ହିଁ ଜାତୀୟ ଦଳ ଭାବେ ମାନ୍ୟତା ମିଳିଥିଲା । ପ୍ରଥମ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ ମୋଟ ୫୩ଟି ରାଜନୈତିକ ଦଳ । ଭାରତୀୟ ଜାତୀୟ କଂଗ୍ରେସ ସହ ସୋସିଆଲିଷ୍ଟ ପାର୍ଟି, କିଷାନ ମଜଦୁର ପ୍ରଜା ପାର୍ଟି,ସିପିଆଇ, ଅଖିଳ ଭାରତୀୟ ଜନସଂଘ, ହିନ୍ଦୁ ମହାସଭା ପ୍ରମୁଖ ନିର୍ବାଚନରେ ଭାଗ ନେଇଥିଲେ ।
୧୯୫୨ ମସିହା ଏପ୍ରିଲ ୨ ତାରିଖରେ ଘୋଷିତ ହୋଇଥିଲା ସଂପୂର୍ଣ୍ଣ ଫଳାଫଳ । ଭାରତୀୟ ଜାତୀୟ କଂଗ୍ରେସ ୩୧୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୨ଟି ଆସନ ପାଇ ସୋସିଆଲିଷ୍ଟ ପାର୍ଟି ଥିଲା ଲୋକସଭାର ଦ୍ୱିତୀୟ ବଡ ଦଳ । ସ୍ୱାଧୀନ ପ୍ରାର୍ଥୀମାନେ ୩୭ଟି ଆସନରେ ବିଜୟୀ ହୋଇଥିଲେ ।
ଅଭିଜ୍ଞତାର ଅଭାବ, ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ସମସ୍ୟା, ଅନଭିଜ୍ଞ ମତଦାତାଙ୍କ ସତ୍ତ୍ୱେ ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନ ଥିଲା ଏକ ଉଲ୍ଲେଖନୀୟ ସଫଳତା । ଅନେକଙ୍କ ସନ୍ଦେହ ମୋଚନ କରିଥିଲା ଏହି ନିର୍ବାଚନ । ନୂଆ ନୂଆ ସ୍ୱାଧୀନତା ହାସଲ କରିଥିବା ଏକ ସମସ୍ୟା ବହୁଳ ଦେଶରେ ସଫଳତାର ସହ ନିର୍ବାଚନ ହେବା ନେଇ ଯେଉଁମାନେ ସନ୍ଦେହ ପ୍ରକାଶ କରିଥିଲେ ସେମାନଙ୍କୁ ମିଳିଥିବା ଠୋସ୍ ଜବାବ ।

ଚାଣକ୍ୟ ନଗର, ଲାଞ୍ଜିପଲ୍ଲୀ, ବ୍ରହ୍ମପୁର-୭୬୦୦୦୮
ମୋବାଇଲ ନଂ -୯୭୦୩୬୯୦୮୪୭

Comments are closed.