ଆଜି ପ୍ରଥମ କ୍ବାଲିଫାୟର: କେକେଆର୍-ସନରାଇଜର୍ସ ମୁହାଁମୁହିଁ

ଅହମ୍ମଦାବାଦ: ଆଇପିଏଲର ପ୍ଲେ ଅଫ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ‌ ହେଉଛି । ମଙ୍ଗଳବାର ଏଠାରେ ଖେଳାଯିବାକୁ ଥିବା ପ୍ରଥମ କ୍ବାଲିଫାୟର ମ୍ୟାଚରେ ଟେବୁଲ୍ ଟପ୍ପର କୋଲକାତା ନାଇଟ୍ ରାଇଡର୍ସ ଓ ଦ୍ବିତୀୟ ସ୍ଥାନରେ ରହିଥିବା ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ। ଏହା ଏକ ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିବା ବେଳେ ପ୍ରଶଂସକଙ୍କୁ ଏକ ରୋମାଞ୍ଚକ ଲଢ଼େଇ ଦେଖିବାକୁ ମିଳିବ।

ଚଳିତ ବର୍ଷ କେକେଆର୍ ପ୍ରଥମ ଦଳ ଭାବେ ଆଇପିଏଲ୍ ପ୍ଲେ ଅଫରେ ପହଞ୍ଚିଥିଲା। ଶେଷ ଲିଗ୍ ମ୍ୟାଚ୍ ରେ ପଞ୍ଜାବ କିଙ୍ଗ୍ସକୁ ଚାରି ୱିକେଟରେ ହରାଇ ସନରାଇଜର୍ସ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।

ଲିଗ୍ ପର୍ଯ୍ୟାୟର ୭୦ଟି ମ୍ୟାଚ୍ ପରେ ଶୀର୍ଷ ଦୁଇ ସ୍ଥାନରେ ଥିବା ଉଭୟ ଦଳକୁ ଗତ ୧୦ ଦିନ ମଧ୍ୟରେ ବର୍ଷା କାରଣରୁ ଭଲ ବ୍ରେକ୍ ମିଳିଛି । ତେବେ ପ୍ଲେ ଅଫ୍ ପୂର୍ବରୁ ପଡ଼ିଆରେ ଅଧିକ ସମୟ ବିତାଇ ନ ପାରିବା ଚ୍ୟାଲେଞ୍ଜ ମଧ୍ୟ କଷ୍ଟକର ହେବ ।

ଶହ ଶହ କିଲୋମିଟର ଯାତ୍ରା କରିବା ପରେ ଏଠାରେ ପହଞ୍ଚିଥିବା କେକେଆର୍ ଓ ସନରାଇଜର୍ସ ଟିମ୍ ପରିବେଶ ସହିତ ଖାପ ଖୁଆଇବା ପାଇଁ ଅଧିକ ସମୟ ପାଇବେ ନାହିଁ | ଉଭୟ ଦଳ ରବିବାର ନିଜ ନିଜର ଶେଷ ଲିଗ୍ ମ୍ୟାଚ୍ ଖେଳିଥିଲେ।

ସନରାଇଜର୍ସ ପୁରା ମ୍ୟାଚ୍ ଖେଳି ପଞ୍ଜାବକୁ ପରାସ୍ତ କରିଥିବା ବେଳେ ବର୍ଷା କାରଣରୁ କେକେଆର୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ବାତିଲ ହୋଇଥିଲା। ମେ ୧୧ରେ କେକେଆର୍ ଏହାର ଶେଷ ପୂର୍ଣ୍ଣ ମ୍ୟାଚ୍ ଖେଳିଥିଲା। ବର୍ଷା ବ୍ୟାଘାତ ପୂର୍ବରୁ କେକେଆର କ୍ରମାଗତ ଚାରିଟି ମ୍ୟାଚ୍ ଜିତିଥିଲା, ଦଳର ଶେଷ ଦୁଇଟି ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯାଇଥିଲା।

ଶୀର୍ଷ ମାନ୍ୟତାପ୍ରାପ୍ତ କେକେଆର୍ ପାଇଁ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ଫିଲ୍ ସଲ୍ଟ (୪୩୫ ରନ୍)ଙ୍କ ଅନୁପସ୍ଥିତି ଏକ ଝଟକା । ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦଳରେ ଯୋଗଦେବାକୁ ସଲ୍ଟ ସ୍ବଦେଶ ଫେରିଛନ୍ତି । ସଲ୍ଟ ଏବଂ ସୁନୀଲ ନାରାୟଣ (୪୬୧) କେକେଆରକୁ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ ଦେଇଛନ୍ତି | କ୍ୟାପଟେନ୍ ଶ୍ରେୟସ୍ ଆୟର୍ (୨୮୭ ରନ୍) ମିଡିଲ ଅର୍ଡରରେ ସେଭଳି ସଫଳ ହୋଇପାରି ନାହାଁନ୍ତି । କିନ୍ତୁ ତାଙ୍କ ଖରାପ ଫର୍ମ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିନାହିଁ। ନୀତୀଶ ରାଣା ଏବଂ ଆଣ୍ଡ୍ରେ ରସେଲଙ୍କ ଅବଦାନ ମଧ୍ୟ କେକେଆର୍ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ |

କାଗଜରେ କେକେଆର୍ ଏବଂ ସନରାଇଜର୍ସ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ଦେଖାଯାଉ ନାହିଁ। ହାଇଦ୍ରାବାଦର ବିସ୍ଫୋରକ ଓପନିଂ ଯୋଡ଼ି ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ୨୦୦ ରୁ ଅଧିକ ଷ୍ଟ୍ରାଇକ୍ ହାରରେ ରନ୍ କରି ରେକର୍ଡ ବର୍ଷା କରିଛନ୍ତି।

ଅଷ୍ଟ୍ରେଲୀୟ ବ୍ଯାଟର ହେଡ୍ ଆକ୍ରମଣାତ୍ମକ ବ୍ୟାଟିଂର ଏକ ନୂଆ ନମୂନା ପ୍ରଦର୍ଶନ କରିଛନ୍ତି । ସେ ଚଳିତ ସିଜନରେ ଏପର୍ଯ୍ୟନ୍ତ ଗୋଟିଏ ଶତକ ଏବଂ ଚାରି ଅର୍ଦ୍ଧଶତକ ସହ ୫୩୩ ରନ୍ ସଂଗ୍ରହ କରିଛନ୍ତି | ତାଙ୍କ ପାର୍ଟନର ଅଭିଷେକ (୪୬୭ ରନ୍) ମଧ୍ୟ ଛକା-ଚୌକା ବର୍ଷା କରିଛନ୍ତିି । ଏହି ଯୁବ ବ୍ୟାଟ୍ସମ୍ୟାନ୍ ଚଳିତ ଆଇପିଏଲରେ ୪୧ଟି ଛକା ମାରିଛନ୍ତି। ହାଇଦ୍ରାବାଦର ଏହି ଓପନିଂ ଯୋଡ଼ି ସହ ହାଇନରିଚ୍ କ୍ଲାସେନ ନିଜ ଧୂଆଁଧାର ପ୍ରଦର୍ଶନ ସହ ବିପକ୍ଷ ଦଳ ଶିବିରରେ ଛନକା ସୃଷ୍ଟି କରିଛନ୍ତିି। କେକେଆର୍ ପାଇଁ ହାଇଦ୍ରାବାଦର ଇନଫର୍ମ ବ୍ୟାଟିଂ ଲାଇନ୍ ଅପ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ଅହମ୍ମଦାବାଦରେ ଦ୍ବିତୀୟ ବ୍ୟାଟିଂ କରୁଥିବା ଦଳକୁ ଅଧିକ ସଫଳତା ମିଳିବା ନଜିର ରହିଛି । ଗତବର୍ଷ ଏଠାରେ ଦିନିକିଆ ବିଶ୍ୱକପ ଫାଇନାଲରେ ମଧ୍ୟ ଏଭଳି ଧାରା ଦେଖିବାକୁ ମିଳିଥିଲା । ଟାର୍ଗେଟ୍ ପିଛା କରିଥିବା ଦଳ ୬ ରୁ ୪ ଥର ସଫଳ ହୋଇଛନ୍ତି।

Comments are closed.