କରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର  | News Room Odisha

କରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର 

ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଆଜି ନିର୍ବାଚନ ପ୍ରଚାର କରିଛନ୍ତି ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ। ଦେଇଛନ୍ତି ବିକାଶର ହିସାବ । ଏକ ଜନସଭାକୁ ସମ୍ବୋଧିତ କରିଥିଲେ ପାଣ୍ଡିଆନ । ଠାକୁରମୁଣ୍ଡା-କରଞ୍ଜିଆ ସହିତ ତାଙ୍କ ସମ୍ପର୍କ ବହୁତ ପୁରୁଣା ବୋଲି ସେ କହିଥିଲେ। ୨୦ ବର୍ଷ ତଳେ ଏଠାରେ ଭଲ ରାସ୍ତା ନଥିଲା । ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି । ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି ବୋଲି ପାଣ୍ଡିଆନ ବିରୋଧିଙ୍କୁ କଟାକ୍ଷ କରି କହିଥିଲେ। ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀ ଭାଇଭଉଣୀମାନେ କୋର୍ଟକଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା ପାଇଁ ସେମାନଙ୍କ ଉପରୁ ୫୦ ହଜାରରୁ ଅଧିକ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି । ସାରା ଭାରତବର୍ଷରେ ଓଡ଼ିଶାରେ ଅଧିକ ଆଦିବାସୀ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ଅନ୍ୟ ରାଜ୍ୟମାନଙ୍କରେ ଟ୍ରାଇବାଲ ବଜେଟ କମି କମି ଯାଉଛି । କିନ୍ତୁ ନବୀନ ବାବୁ ଓଡ଼ିଶାରେ ପ୍ରତିବର୍ଷ ଏହାକୁ ବଢ଼ାଉଛନ୍ତି । ନବୀନ ବାବୁ ଆପଣଙ୍କ ସହିତ ସବୁଦିନ ଅଛନ୍ତି ବୋଲି ପାଣ୍ଡିଆନ କହିଥିଲେ।

ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦୋହରାଇଛନ୍ତି ପାଣ୍ଡିଆନ ।ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ । ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା’ ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା କରାଯିବ ବୋଲି ପାଣ୍ଡିଆନ ଜନସଭାରେ କହିଥିଲେ।

ବିଜୁଳି ବିଲ୍‍ ଛାଡ଼ ହେଲେ ଆପଣମାନେ ଖୁସି ହେବେ ତ ବୋଲି ଲୋକଙ୍କୁ ସେ ପଚାରିଥିଲେ। ମୁଖ୍ୟମନ୍ତ୍ରୀ କଥା କମ୍‍ କହନ୍ତି କାମ ବେଶୀ କରନ୍ତି । ବିରୋଧୀ ବିଜେପି ନେତାମାନେ ଆସି ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି। ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ । ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ । ତା’ପରେ ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ । ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପିଇବା ପାଣି, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି । ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି ବୋଲି ପାଣ୍ଡିଆନ କହିଥିଲେ।