ରାଜ୍ୟରେ ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର; ୨୫ରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ 

ଭୁବନେଶ୍ୱର – ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଜି ଶେଷ ଥର ପାଇଁ ପ୍ରୟାସ କରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ବି ହାଇଭୋଲଟେଜ ପ୍ରଚାର କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ ।

ଆସନ୍ତା ୨୫ ତାରିଖରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର – ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ । ଏହି ୬ ଲୋକସଭା ଆସନ ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ହେବ । ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ହାଇ ପ୍ରୋଫାଇଲ୍ ଲଢେଇ ହେଉଛି । ଏହି ତିନିଟି ଲୋକସଭା ଆସନ ଉପରେ ସମସ୍ତଙ୍କର ନଜର ରହିଛି। ସମ୍ବଲପୁରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଲଢେଇ ହେଉଛି । ପୁରୀ ଲୋକସଭା ଆସନରେ ବିଜେଡିର ଅରୂପ ପଟ୍ଟନାୟକ ଓ ବିଜେପିର ସମ୍ବିତ ପାତ୍ରଙ୍କ ଲଢେଇ ହେଉଛି । ହାଇପ୍ରୋଫାଇଲ୍ ଭୁବନେଶ୍ବର ଲୋକସଭା ଆସନରେ ଏଠାରେ ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ରିପିଟ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ମଇଦାନକୁ ଓହ୍ଲାଇଛି । କଂଗ୍ରେସ ତରଫରୁ ୟାସିର ନଓ୍ବାଜ୍ ଲଢେଇ କରୁଛନ୍ତି ।

କଟକ ଆସନ ଉପରେ ବି ନଜର ରହିଛି । ଏଠାରେ ସାଂସଦ ଭର୍ତ୍ତୃହରି ମହତାବ ଏଥର ବିଜେପି ଟିକେଟରେ ଲଢୁଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର । ଅନ୍ଯପଟେ ତୃତୀୟ ପର୍ଯ୍ୟାୟରେ ଅନେକ ଚର୍ଚ୍ଚିତ ବିଧାନସଭା ଆସନରେ ବି ଭୋଟ୍ ଗ୍ରହଣ କରାଯିବ।

Comments are closed.