ଭୋଟ ଗଣତି ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗତ ୧୩ ତାରିଖରେ ବ୍ରହ୍ମପୁର ଲୋକସଭା ସମେତ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ମତଦାନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାରେ ସରିଥିଲା। ଏବେ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇ ରହିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଯଥା ମୋହନା ଓ ପାରଳାଖେମୁଣ୍ଡିର ଭୋଟ ଗଣତି ପାରଳାଖେମୁଣ୍ଡିସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ହେବ।

ଉକ୍ତ ଦିନ ସକାଳ ୮ ଘଣ୍ଟାରୁ ଗଣତି ଆରମ୍ଭ ହେବ। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ୧୮୦ ଜଣ ଦକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ପୂର୍ବରୁ ତାଲିମ ଦିଆଯାଇଛି। ପ୍ରଥମେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧୨୦୦ ଓ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୧୯୦୦ ପୋଷ୍ଟାଲ୍ ବାଲଟ ଭୋଟ ଗଣତି ହେବ। ପରେ ଇଭିଏମ୍ ବାକ୍ସ ଗଣନା କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସୂଚନା ଦିଆଯାଇଛି। ଜିଲ୍ଲାପାଳ କହିଛନ୍ତି ଯେ ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ଉକ୍ତ ଦିନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହାବିଦ୍ୟାଳୟ ପରିସର ତଥା ଗଣନା କେନ୍ଦ୍ର ପାଇଁ ସ୍ବତନ୍ତ୍ର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଗଣତି କେନ୍ଦ୍ର ଭିତରେ ମୋବାଇଲ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର କୁମାର ଦାସ ଓ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ଉପସ୍ଥିତ ଥିଲେ।

Comments are closed.