ଟି-୨୦ ବିଶ୍ୱକପ: ଓମାନକୁ ସୁପର ଓଭରରେ ହରାଇଲା ନାମିବ୍ୟା

ବାରାବଡୋସ୍: ନାମିବ୍ୟା ସୋମବାର ଟି-୨୦ ବିଶ୍ୱକପ ୨୦୨୪ର ଏକ ରୋମାଞ୍ଚକ ମ୍ୟାଚରେ ଓମାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ଫଳାଫଳ ସୁପର ଓଭରରେ ନିର୍ଣ୍ଣୟ ହୋଇଥିଲା । ୨୦୧୨ ପରେ ପ୍ରଥମ ଥର ପୁରୁଷ ଟି-୨୦ ବିଶ୍ୱକପରେ ସୁପର ଓଭର ହୋଇଛି।

ଶେଷଥର ୨୦୧୨ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସୁପର ଓଭର ଖେଳାଯାଇଥିଲା। ୱେଷ୍ଟଇଣ୍ଡିଜ୍ ସେହି ମ୍ୟାଚକୁ ଜିତିଥିଲା।

ସୋମବାର ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲରେ ଅନୁଷ୍ଠିତ ମ୍ୟାଚରେ ନାମିବ୍ୟା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓମାନ ୧୯.୪ ଓଭରରେ ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ନାମିବ୍ୟା ମଧ୍ୟ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା । ଫଳରେ ମ୍ୟାଚ୍ ସୁପର ଓଭରକୁ ଯାଇଥିଲା। ଜିତିବା ପାଇଁ ନାମିବ୍ୟାକୁ ଶେଷ ଓଭରରେ ୫ ରନ୍ ଆବଶ୍ୟକ ଥିଲା, କିନ୍ତୁ ବ୍ୟାଟ୍ସମ୍ୟାନ୍ ମେହେରାନ୍ ଖାନ୍ ମାତ୍ର ୪ ରନ୍ ସଂଗ୍ରହ କରିପାରିଥିଲେ।

ସୁପର ଓଭର ବିଜୟରେ ନାମିବ୍ୟା ପକ୍ଷରୁ ଡେଭିଡ ୱିସେ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ସେ ସୁପର ଓଭରରେ ଅଧିନାୟକ ଜେରାଡ ଏରାସମସଙ୍କ ସହ ମିଶି ୬ ବଲରେ ୨୧ ରନ୍ କରିଥିଲେ। ଏହା ପରେ ଅଧିନାୟକ ଏହି ଲକ୍ଷ୍ୟକୁ ଡିଫେଣ୍ଡ କରିବା ପାଇଁ ମଧ୍ୟ ୱିସେଙ୍କ ଉପରେ ଭରସା ପ୍ରକଟ କରି ତାଙ୍କୁ ବୋଲିଂ ଦାୟିତ୍ବ ଦେଇଥିଲେ। ବୋଲିଂରେ ମଧ୍ୟ ୱିସେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ୨୨ ରନର ଟାର୍ଗେଟ ଜବାବରେ ଓମାନ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା। ସୁପର ଓଭରରେ ମଧ୍ୟ ଓ୍ବିସେ ଗୋଟିଏ ୱିକେଟ୍ ନେଇଥିଲେ। ୱିସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

Comments are closed.