ଟି-୨୦ ବିଶ୍ୱକପ : ତୃତୀୟ ବିଜୟ ସହ ସୁପର-୮ରେ ଭାରତ | News Room Odisha

ଟି-୨୦ ବିଶ୍ୱକପ : ତୃତୀୟ ବିଜୟ ସହ ସୁପର-୮ରେ ଭାରତ

ନ୍ୟୁୟର୍କ: ଭାରତ କ୍ରମାଗତ ତୃତୀୟ ବିଜୟ ସହ ଚଳିତ ଟି-୨୦ ବିଶ୍ୱକପର ସୁପର-୮ରେ ପ୍ରବେଶ କରିଛି। ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଭାରତ ବୁଧବାର ଅନୁଷ୍ଠିତ ମ୍ୟାଚରେ ଆମେରିକାକୁ ୭ ଓ୍ବିକେଟରେ ପରାସ୍ତ କରିଛି। ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମର ବୋଲର ଫ୍ରେଣ୍ଡଲି ପିଟ୍‌ରେ ଆମେରିକା ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୧୦ ରନ କରିଥିଲା। ଏହାର ଜବାବରେ ଭାରତ ୩୯ ରନରେ ୩ଟି ଓ୍ବିକେଟ୍ ହରାଇଥିଲା । ହେଲେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେ ଚତୁର୍ଥ ଓ୍ବିକେଟରେ ୬୭ ରନର ଅବିଭକ୍ତ ଭାଗୀଦାରି କରିଥିବାବେଳେ ଭାରତ ୧୮.୨ ଓଭରରେ ୩ ଓ୍ବିକେଟ୍ ହରାଇ ହରାଇ ମ୍ୟାଚ୍ ଜିତି ନେଇଥିଲା। ସୂର୍ଯ୍ୟକୁମାର ୫୦ (୨ ଚୌକା, ୨ ଛକା) ଓ ଦୁବେ ୩୧ (୧ ଚୌକା, ୧ ଛକା) ରନ୍ କରି ଅପରାଜିତ ରହିଥିଲେ । ଆମେରିକା ପକ୍ଷରୁ ସୌରଭ ନେତ୍ରାଭଲକର ୨ଟି ଓ ଅଲୀ ଖାନ ଗୋଟିଏ ଓ୍ବିକେଟ୍ ନେଇଥିଲେ । ଗ୍ରୁପ୍ ‘ଏ’ରେ ଭାରତ ୩ଟି ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆମେରିକା ୩ ମ୍ୟାଚରୁ ପ୍ରଥମ ପରାଜୟ ବରଣ କରିଥିଲେ ହେଁ ଦ୍ଵିତୀୟ ସ୍ଥାନରେ ଅପରିବର୍ତ୍ତିତ ରହି ସୁପର—୮ ସମ୍ଭାବନା ଉଜ୍ଜୀବିତ ରଖିଛି ।

ପୂର୍ବରୁ ଭାରତ ଟସ୍ ଜିତି ଆମେରିକାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଶ୍ରେଷ୍ଠ ପ୍ରଦର୍ଶନ କରି ମାତ୍ର ୯ ରନ ବିନିମୟରେ ୪ ଓ୍ବିକେଟ୍ ନେଇଥିଲେ। ଟି-୨୦ ବିଶ୍ଵକପରେ କୌଣସି ଭାରତୀୟ ବୋଲରଙ୍କ ପକ୍ଷରୁ ଏହା ସର୍ବଶ୍ରେଷ୍ଠ ବୋଲିଂ । ପୂର୍ବରୁ ୨୦୧୧ ମୀରପୁରଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରବିଚନ୍ଦ୍ରନ ଅଶ୍ଵିନ ୧୧ ରନରେ ୪ ଓ୍ବିକେଟ୍ ନେଇ ରେକର୍ଡର ଅଧିକାରୀ ଥିଲେ। ଆମେରିକା ପକ୍ଷରୁ ନୀତୀଶ କୁମାର ସର୍ବାଧ‌ିକ ୨୭ ଓ ଷ୍ଟିଭେନ ଟେଲର ୨୪ ରନ କରିଥିଲେ। ଅର୍ଶଦୀପଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ। ଅର୍ଶଦୀପ ମ୍ୟାନ୍ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ।