ଟି-୨୦ ବିଶ୍ୱକପ୍‌ରୁ ପାକିସ୍ତାନ ବିଦା, ପଦାର୍ପଣରେ ଆମେରିକା ସୁପର ୮କୁ ଉନ୍ନୀତ | News Room Odisha

ଟି-୨୦ ବିଶ୍ୱକପ୍‌ରୁ ପାକିସ୍ତାନ ବିଦା, ପଦାର୍ପଣରେ ଆମେରିକା ସୁପର ୮କୁ ଉନ୍ନୀତ

ଫୋର୍ଟ ଲାଉଡରହିଲ (ଫ୍ଲୋରିଡା): ବର୍ଷା ଯୋଗୁଁ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ପ୍ରଥମ ଥର ଟି-୨୦ ବିଶ୍ୱକପ ଖେଳୁଥିବା ଆମେରିକା ସୁପର-୮କୁ ଉନ୍ନୀତ ହୋଇଛି। ଆୟର୍ଲାଣ୍ଡ-ଆମେରିକା ମ୍ୟାଚ୍ ବାତିଲ ହେବା ଯୋଗୁଁ ପୂର୍ବତନ ଚାମ୍ପିୟନ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି।

ଆମେରିକା ଏହାର ପ୍ରଥମ ଦୁଇଟି ମ୍ୟାଚରେ ପଡ଼ୋଶୀ କାନାଡ଼ା ଏବଂ ଶକ୍ତିଶାଳୀ ପାକିସ୍ତାନକୁ ହରାଇଥିଲା । ଦଳ ତୃତୀୟ ମ୍ୟାଚରେ ଭାରତ ଠାରୁ ହାରି ଯାଇଥିଲା । କିନ୍ତୁ ଗ୍ରୁପ୍ ଏ’ରେ ଆୟର୍ଲାଣ୍ଡ ବିପକ୍ଷ ଆମେରିକାର ଶେଷ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ହୋଇଯିବା ପରେ ଗ୍ରୁପ ଏ’ରୁ ଭାରତ ସହ ଆମେରିକା ସୁପର ୮ ରେ ପହଞ୍ଚିଛି।

ଅମ୍ପାୟାରମାନେ ଅନେକ ଥର ଗ୍ରାଉଣ୍ଡ ଯାଞ୍ଚ କରିବା ପରେ ଓଦା ଆଉଟଫିଲ୍ଡ କାରଣରୁ ମ୍ୟାଚ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ୨୦୦୯ର ବିଜେତା ତଥା ୨୦୨୨‌ ସଂସ୍କରଣର ରନର୍ସ ଅପ୍ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ।

ଚାରିଟି ମ୍ୟାଚରୁ ୫ ପଏଣ୍ଟ ସହ ଆମେରିକା ଗ୍ରୁପ୍ ଲିଗ୍ ଅଭିଯାନ ଶେଷ କରିଛି । ଆୟର୍ଲାଣ୍ଡ ବିପକ୍ଷ ଶେଷ ଗ୍ରୁପ୍ ମ୍ୟାଚ୍ ଜିତିଲେ ମଧ୍ୟ ପାକିସ୍ତାନ ସର୍ବାଧିକ ୪ ପଏଣ୍ଟରେ ପହଞ୍ଚି ପାରିବ।

ନ୍ୟୁୟର୍କରେ ରବିବାର ଭାରତ ବିପକ୍ଷରେ ପାକିସ୍ତାନ ୧୨୦ ରନର ଲକ୍ଷ୍ୟ ଚେଜ୍ କରିବାରେ ବିଫଳ ହୋଇଥିଲା। ଏହା ପୂର୍ବରୁ ଡାଲାସରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଅପ୍ରତ୍ୟାଶିତ ଭାବେ ଆମେରିକା ଠାରୁ ସୁପର ଓଭରରେ ହାରି ଯାଇଥିଲା ।

ଟି-୨୦ ବିଶ୍ୱକପ୍‌ରେ ନିଜ ପ୍ରଥମ ମ୍ୟାଚ୍‌ରେ ଆମେରିକା ପାଖାପାଖି ୨୦୦ ରନର ଟାର୍ଗେଟ୍ ଚେଜ୍ କରି କାନାଡ଼ା ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲା। ଏହାପରେ ଦଳ ଗତ ଥରର ରନର୍ସ ଅପ୍ ପାକିସ୍ତାନକୁ ହରାଇ ଚଳିତ ଟି-୨୦ ବିଶ୍ୱକପ୍‌ରେ ସବୁଠୁ ବଡ଼ ବିପର୍ଯ୍ୟୟ ଘଟାଇଥିବା ବେଳେ ଟାଇଟଲ୍ ଦାବିଦାର ଭାରତକୁ କଡ଼ା ଟକ୍କର ଦେଇଥିଲା। ବିଶ୍ବକପ୍ ପୂର୍ବରୁ ଦଳ ଅନ୍ତର୍ଜାତୀୟ ଟି-୨୦ ସିରିଜରେ ବାଂଲାଦେଶକୁ ହରାଇଥିଲା।