ତାତି ଓ ଗୁଳୁଗୁଳିରେ ଲୋକେ କଲବଲ, ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରେକର୍ଡ

ଭୁବନେଶ୍ୱର – ଜୁନ ମାସ ଅଧା ସରିଲାଣି । ମୋୖସୁମୀ ଆଗୁଆ ଆସିଥିଲେ ମଧ୍ୟ ସଂପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇପାରୁନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ମୋୖସୁମୀ ବର୍ଷାକୁ ଲୋକେ ଚାହିଁ ରହିଥିବା ବେଳେ ଏହା ଆହୁରି ବିଳମ୍ବିତ ହୋଇଛି। ଆଜି ରାଜ୍ୟରେ ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି । ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବାରିପଦା ଆଜି ସବୁଠୁ ଉତ୍ତପ୍ତ ସହର ହୋଇଛି । ବୌଦ୍ଧରେ ୪୨ ଡିଗ୍ରୀ, ନୂଆପଡାରେ ୪୧. ୬, ଭୁବନେଶ୍ୱର, ଭବାନୀପାଟଣା, ସୁନ୍ଦରଗଡରେ ୪୧ ଡିଗ୍ରୀ, ପାରଳାଖେମୁଣ୍ଡି, ଅନୁଗୁଳ ଓ ଢେଙ୍କାନାଳରେ ୪୦.୭, ଏବଂ ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ଆହୁରି ୩ ଦିନ ଲାଗିରହିବ ଗ୍ରୀଷ୍ମ ପ୍ରବାହ ଲାଗିରହିବ । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ୧୯ ତାରିଖଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି । ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ । ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

Comments are closed.