ଟି-୨୦ ବିଶ୍ୱକପ୍‌: ଆଜି ଆଫଗାନିସ୍ତାନ ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ ଭାରତ

ବ୍ରିଜଟାଉନ୍ (ବାର୍ବାଡୋସ୍): ଭାରତ ଟି-୨୦ ବିଶ୍ୱକପ୍‌ର ସୁପର ୮ ପର୍ଯ୍ୟାୟରେ ନିଜ ପ୍ରଥମ ମ୍ୟାଚ୍‌ରେ ଗୁରୁବାର ଆଫଗାନିସ୍ତାନକୁ ଭେଟିବ। ଏହି ମ୍ୟାଚରେ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ ଯାହାଙ୍କ ବ୍ୟାଟ୍ ଦୀର୍ଘ ଦିନ ଧରି ନୀରବ ରହିଛି । ବାମହାତୀ ସ୍ପିନର କୁଲଦୀପ ଯାଦବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି।

ଭାରତୀୟ ଦଳର କମ୍ବିନେସନ ନେଇ ଅନେକ ଚର୍ଚ୍ଚା ହେଉଛି | ଟୁର୍ନାମେଣ୍ଟ ଆରମ୍ଭରେ ଅଧିନାୟକ ରୋହିତ ଶର୍ମା ଚାରି ଜଣ ଅଲରାଉଣ୍ଡର (ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ ଏବଂ ରବୀନ୍ଦ୍ର ଜାଡେଜା) ଚୂଡ଼ାନ୍ତ ଏକାଦଶରେ ରଖିଥିଲେ ।

ନ୍ୟୁୟର୍କରେ ବୋଲର ଉପଯୋଗୀ ପିଚରେ ମଧ୍ୟ ଏହି ରଣନୀତି ଭାରତ ପାଇଁ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା। ଏହା ଦ୍ବାରା ଅଷ୍ଟମ ନମ୍ବର ପର୍ଯ୍ୟନ୍ତ ଭାରତକୁ ବ୍ୟାଟିଂ ଗଭୀରତା ମଧ୍ୟ ମିଳୁଛି । ତେଣୁ ଅଧିନାୟକ ଏହି କମ୍ବିନେସନ ବଦଳାଇବା ପାଇଁ ଚାହିଁବେ ନାହିଁ । କୁଲଦୀପଙ୍କୁ ଦଳକୁ ଆଣିବା ପାଇଁ ହେଲେ ମହମ୍ମଦ ସିରାଜ କିମ୍ବା ଅର୍ଶଦୀପ ସିଂଙ୍କୁ ବାହାରେ ରଖିବାକୁ ପଡ଼ିବ। ଯଦି ଏପରି ହୁଏ, ତେବେ ସିରାଜଙ୍କୁ ବାହାରେ ବସିବାକୁ ପଡ଼ିପାରେ ।

ଭାରତୀୟ ପ୍ରଶଂସକଙ୍କ ନଜର କୋହଲିଙ୍କ ଉପରେ ରହିବ ଯିଏ ଏପର୍ଯ୍ୟନ୍ତ ଚଳିତ ଟୁର୍ନାମେଣ୍ଟରେ ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରିନାହାଁନ୍ତି। ସେ ନ୍ୟୁୟର୍କରେ ଖେଳାଯାଇଥିବା ଲିଗ୍ ପର୍ଯ୍ୟାୟରେ ନିଜ ଚିରାଚରିତ ଶୈଳୀରେ ସଫଳ ହୋଇପାରିନଥିଲେ, କିନ୍ତୁ ୱେଷ୍ଟଇଣ୍ଡିଜରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ମଝି ଇନିଂସ୍ ଏବଂ ଡେଥ୍ ଓଭରରେ ଛକା ମାରିବା ପାଇଁ ଦଳରେ ସାମିଲ ହୋଇଥିବା ଶିବମ୍ ଦୁବେଙ୍କୁ ଏପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରିନାହାନ୍ତି । ଏକ ବିସ୍ଫୋରକ ପାଳି ଖେଳିବାକୁ ତାଙ୍କ ଲକ୍ଷ୍ୟ ରହିବ । ଭାରତର ଷ୍ଟାର ଟି-୨୦ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ତାଙ୍କ ନିଜସ୍ବ ଷ୍ଟାଇଲରେ ଖେଳି ଆମେରିକା ବିପକ୍ଷରେ ରନ୍ କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ସେ ଏହି ଲୟ ବଜାୟ ରଖିବେ ବୋଲି ଆଶା କରାଯାଉଛି।

ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରନ୍ ସ୍କୋର କରିବାରେ ସକ୍ଷମ ହୋଇ ନାହାଁନ୍ତି। ବୋଲିଂରେ ଅର୍ଶଦୀପଙ୍କ ପ୍ରଦର୍ଶନ ପ୍ରତି ମ୍ୟାଚରେ ଉନ୍ନତ ହୋଇଛି ଏବଂ ସେ ଜସପ୍ରୀତ ବୁମରାଙ୍କୁ ଭଲ ସମର୍ଥନ କରୁଛନ୍ତି। ଅକ୍ଷର ଏବଂ ଜାଡେଜା ମଧ୍ୟ ସ୍ପିନରମାନଙ୍କୁ ସୁହାଉଥିବା ପିଚରେ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି |

ଅନ୍ୟପକ୍ଷରେ ଗ୍ରୁପ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠୁ ହାରିବା ପରେ ଆଫଗାନିସ୍ତାନ ଦଳ ଏଠାରେ ପହଞ୍ଚିଛି। ପ୍ରଥମ ତିନି ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଏହାର ବୋଲରମାନେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ସଂଘର୍ଷ କରିଥିଲେ।

Comments are closed.