ଟି-୨୦ ବିଶ୍ୱକପ: ରୋମାଞ୍ଚକ ମ୍ୟାଚରେ ବାଜି ମାରିଲା ଦକ୍ଷିଣ ଆଫ୍ରିକା, ୭ ରନରେ ହାରିଲା ଇଂଲଣ୍ଡ

ସେଣ୍ଟ ଲୁସିଆ: ଟି-୨୦ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶେଷ ଓଭରରୁ ବିଜୟ ପାଇଁ ୧୪ ରନ ଆବଶ୍ୟକ ଥିବାବେଳେ ଇଂଲଣ୍ଡ କେବଳ ୬ ରନ କରି ପାରିଥିଲା। ହ୍ୟାରି ବୁକ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଲିଆମ ଲିଭିଂଷ୍ଟୋନଙ୍କ ଦୃଢ଼ ବ୍ୟାଟିଂ ବଳରେ ମ୍ୟାଚ୍ ଏକଦା ଇଂଲଣ୍ଡ ନିୟନ୍ତ୍ରଣରେ ଥିଲା। ମାତ୍ର ଏ ଦୁଇ ବ୍ୟାଟର ଆଉଟ ହେବା ପରେ ଇଂଲଣ୍ଡ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୬୩ ରନ କରିଥିବାବେଳେ ଇଂଲଣ୍ଡ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥଲା । ବ୍ରୁକ୍ ୫୩ ଓ ଲିଭିଂଷ୍ଟୋନ ୩୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡ଼ା ଓ କେଶବ ମହାରାଜ ୨ଟି ଲେଖାଏ ଓ୍ବିକେଟ୍ ନେଇଥିଲେ। ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସୁପର-୮ ପର୍ଯ୍ୟାୟରେ ୪ ପଏଣ୍ଟରେ ପହଞ୍ଚିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୨ଟି ମ୍ୟାଚରୁ ପ୍ରଥମ ପରାଜୟ ବରଣ କରିଛି।

ଟସ୍‌ ଜିତି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା କ୍ଲିଣ୍ଟନ ଡିକକ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ପାର୍ଶ୍ୱରପ୍ଲେ ୬ ଓଭରରେ କୌଣସି ଓ୍ବିକେଟ୍ ନ ହରାଇ ୬୩ ରନ ସଂଗ୍ରହ କରିଥିଲା। ଓପନିଂ ଯୋଡ଼ିରେ ୫୯ ବଲ୍‌ରୁ ୮୬ ରନର ଭାଗୀଦାରି ହୋଇଥିଲା। ମାତ୍ର ଏଥିରେ ରିଜା ହେଣ୍ଡିକଙ୍କ ଅବଦାନ ୨୫ ବଲ୍‌ରୁ ମାତ୍ର ୧୯ ରହିଥିଲା। ଡିକକ୍‌ଙ୍କ ୩୮ ବଲ୍‌ରୁ ୬୫ (୪ ଚୌକା, ୪ ଛକା) ଓ ଡେଭିଡ ମିଲରଙ୍କ ୪୩ (୨୮ ବଲ, ୪ ଚୌକା, ୨ ଛକା) ରନ ଯୋଗୁ ଦକ୍ଷିଣ ଆଫ୍ରିକା ସ୍କୋର ୧୫୦ ଅତିକ୍ରମ କରିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଟର ୩ଟି ଏବଂ ମୋଇନ ଅଲୀ ଓ ଆଦିଲ ରଶିଦ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।

Comments are closed.