ଟି-୨୦ ବିଶ୍ୱକପ: ଆଫଗାନିସ୍ତାନକୁ ହରାଇ ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା

ତରୌବା: ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ୯ ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦକ୍ଷିଣ ଆଫ୍ରିକା। ଚଳିତ ଟି-୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫଗାନିସ୍ତାନ ସେମିଫାଇନାଲରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୧.୫ ଓଭରରେ ମାତ୍ର ୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କେବଳ ଆଜମତୁଲ୍ଲା ଓମରଜାଇ (୧୦) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ତାବ୍ରେଜ ଶାମସି ଏବଂ ମାର୍କୋ ୟାନସେନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। କାଗିସୋ ରାବାଡା ଏବଂ ଏନରିକ ନର୍ଜେ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ହାତେଇଥିଲେ। ୫୭ ରନର‌ ଟାର୍ଗେଟକୁ ମାତ୍ର ୮.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରିନେଇଥିଲା । କ୍ୱିଣ୍ଟନ୍ ଡି କକ୍(୫) ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ ରିଜା ହେଣ୍ଡ୍ରିକ୍ସ (୨୯*) ଏବଂ ଅଧିନାୟକ ଏଡେନ ମାର୍କ୍ରାମ (୨୩*) ଔପଚାରିକାତା ପୂରଣ କରିଥିଲେ।

ଫାଇନାଲରେ ଦକ୍ଷିଣ ଆଫ୍ରିକାର ମୁକାବିଲା ଭାରତ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲର ବିଜେତା ସହ ହେବ । ଭାରତ-ଇଂଲଣ୍ଡ ସେମିଫାଇନାଲ ଆଜି ଭାରତୀୟ ସମୟ ରାତି ୮ଟାରେ ଗାୟନାର ପ୍ରୋଭିଡେନ୍ସରେ ଖେଳାଯିବ ।

ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ଦଳ ଦୁଇଥର (୨୦୦୯, ୨୦୧୪) ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଥିଲା।

Comments are closed, but trackbacks and pingbacks are open.