ପ୍ରତିଶୋଧ ନେଲା ଭାରତ, ଇଂଲଣ୍ଡକୁ ମାତ୍ ଦେଇ ୧୦ ବର୍ଷ ପରେ ଫାଇନାଲରେ ଟିମ୍ ଇଣ୍ଡିଆ | News Room Odisha

ପ୍ରତିଶୋଧ ନେଲା ଭାରତ, ଇଂଲଣ୍ଡକୁ ମାତ୍ ଦେଇ ୧୦ ବର୍ଷ ପରେ ଫାଇନାଲରେ ଟିମ୍ ଇଣ୍ଡିଆ

ଗୟାନା: ଭାରତ ଚଳିତ ଟି-୨୦ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି । ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ ପରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗୁରୁବାର ଏଠାରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ସେମିଫାଇନାଲରେ ଭାରତ ୬୮ ରନରେ ଗତଥରର ଚାମ୍ପିୟନ ଇଂଲଣ୍ଡକୁ ହରାଇ ୧୦ ବର୍ଷ ପରେ ଫାଇନାଲକୁ ଉନ୍ନୀତ ହୋଇଛି । ଏଥିସହ ୨୦୨୨ ବିଶ୍ବକପ ସେମିଫାଇନାଲ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ଏକ ମନ୍ଥର ପିଚରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୧ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା। ଜବାବରେ ଇଂଲଣ୍ଡ ୧୬.୪ ଓଭରରେ ମାତ୍ର ୧୦୩ ରନକରି ଅଲ୍‌ଆଉଟ ହୋଇ‌ ଯାଇଥିଲା । ଇଂଲଣ୍ଡ ତରଫରୁ ହ୍ୟାରି ବୁକ୍ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜୋସ୍ ବଟଲର ୨୩ ରନ୍ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ପଟେଲ‌ ଓ କୁଲଦୀପ ଯାଦବ ୩ଟି ଲେଖାଏ ଏବଂ ଯଶପ୍ରୀତ୍ ବୁମ୍‌ରା ୨ଟି ଓ୍ବିକେଟ୍ ନେଇଥିଲେ। ଶନିବାର ବାର୍ବାଡୋସରେ ଖେଳାଯିବକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ଖେଳାଯିବ ‌। ପ୍ରଥମ ସେମିଫାଇନାଲରେ ଆଫଗାନିସ୍ଥାନକୁ ହରାଇ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ଭାରତ ୧୦ ବର୍ଷ ପରେ ଫାଇନାଲରେ ପହଞ୍ଚିଛି। ଶେଷଥର ଟିମ୍ ଇଣ୍ଡିଆ ୨୦୧୪ରେ ଫାଇନାଲ ଖେଳିଥିଲା । ହେଲେ ଫାଇନାଲରେ ଶ୍ରୀଲଙ୍କା ଠାରୁ ହାରିଯାଇଥିଲା।

ବର୍ଷା ଜନିତ ଆଉଟଫିଲ୍ଡ ଓଦା ଯୋଗୁ ମ୍ୟାଚ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଟସ୍‌ଜିତି ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଫିଲିଂ ନିଷ୍ପତ୍ତି ନେଇଥିଲେ। ପାୱାରପ୍ଲେ ୬ ଓଭରରେ ଭାରତ ୨ ଓ୍ବିକେଟ୍ ହରାଇ ୪୬ ରନ ସଂଗ୍ରହ କରିଥିଲା। ବିରାଟ କୋହଲି ୯ ଓ ରିଷଭ ପନ୍ତ ୪ ରନକରି ଆଉଟ୍ ହୋଇଥିଲେ। ପୁନର୍ବାର ବର୍ଷା ଯୋଗୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ଭାରତ ୮ ଓଭରରେ ୨ ଓ୍ବିକେଟ୍ ହରାଇ ୬୫ ରନ କରିଥିଲା। ଖେଳ ପାଖାପାଖି ଘଣ୍ଟାଏ ବନ୍ଦ ରହିବାପରେ ଖେଳକୁ ପୁଣି ଆରମ୍ଭ କରାଯାଇଥିଲା। ତେବେ ଓଭର ସଂଖ୍ୟା କମି ନ ଥିଲା । ରୋହିତ ଓ ସୂର୍ଯ୍ୟକୁମାର ଦ୍ରୁତ ହାରରେ ରନ ସଂଗ୍ରହ ଜାରି ରଖି ତୃତୀୟ ଓ୍ବିକେଟରେ ୫୦ ବଲ୍‌ରୁ ୭୩ ରନ୍ ଯୋଗ କରିଥିଲେ। ରୋହିତ ୩୯ ବଲ୍‌ରୁ ୬ ଚୌକା ଓ ୨ ଛକା ସହାୟତାରେ ୫୭ ରନ୍ କରି ଆଉଟ ହେବାରୁ ପାର୍ଟନରସିପ୍ ଭାଙ୍ଗିଥଲା। ସୂର୍ଯ୍ୟକୁମାର ଦୃଢ଼ ବ୍ୟାଟିଂ କରି ଅର୍ଦ୍ଧଶତକର ନିକଟତର ହୋଇଥିଲେ ହେଁ ୪୭ (୩୬ ବଲ, ୪ ଚୌକା, ୨ ଛକା) ରନ କରି ପ୍ୟାଭିଲିୟନ ଫେରିଥିଲେ। ବ୍ୟାଟିଂ କ୍ରମରେ ଉପରେ ଆସିଥିବା ହାର୍ଦ୍ଦିକ ପାଣ୍ଡା ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୩ ବଲ୍‌ରୁ ୨୩ (୧ ଚୌକା, ୨ ଛକା) ରନ ସଂଗ୍ରହ‌ କରିଥିଲେ। ମ୍ୟାଚର ୧୮ତମ ଓଭରରେ କ୍ରମାଗତ ୨ଟି ବଲ୍‌ରେ ହାର୍ଦ୍ଦିକ ଓ ଶିବମ୍ ଦୁବେଙ୍କୁ ଆଉଟ କରି କ୍ରିସ୍ ଜୋର୍ଡାନ ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ। ମାତ୍ର ସଫଳ ହୋଇ ନ ଥିଲେ। ଅକ୍ଷର ପଟେଲ ୬ ବଲ୍‌ରୁ ୧୦ ରନ କରିବାରୁ ଭାରତ ରନ ସଂଖ୍ୟା ୧୭୧ରେ ପହଞ୍ଚି ପାରିଥିଲା। ରବୀନ୍ଦ୍ର ଜାଡେଜା ୯ ବଲ୍‌ରୁ ୧୭ ରନକରି ଅପରାଜିତ ରହିଥିଲେ।‌ ଇଂଲଣ୍ଡ ପକ୍ଷରୁ ଜୋର୍ଡାନ ୩ଟି ଏବଂ ୫ ରିଶି ଟୋପ୍‌ଲେ, ଜୋଫ୍ରା ଆର୍ଚର, ସାମ୍ ଓ କରନ ଓ ଆଦିଲ ରଶିଦ ଗୋଟିଏ ଲେଖାଏ ଓ୍ବିକେଟ୍ ନେଇଥିଲେ।