ଶେଫାଳୀଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ମହିଳା ଟେଷ୍ଟ ଟିମର କୀର୍ତ୍ତିମାନ, ଗୋଟିଏ ଦିନରେ କଲା ୫୨୫ ରନ୍

ଚେନ୍ନାଇ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ମହିଳା କ୍ରିକେଟ୍ ଟେଷ୍ଟରେ ଭାରତ ପ୍ରଥମ ଦିନରେ ରେକର୍ଡ ବର୍ଷା କରିଛି । ଶେଫାଳୀ ବର୍ମାଙ୍କ ଦ୍ରୁତତମ ଦ୍ୱିଶତକ ଓ ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତ ୪ ୱିକେଟ୍ ହରାଇ ପ୍ରଥମ ଦିନରେ ହିଁ ୫୨୫ ରନର କରିନେଇଛି । ଯାହାକି କୌଣସି ମହିଳା ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ସ୍କୋର । ଏହାଛଡ଼ା ଶେଫାଳୀ ମଧ୍ୟ ଦ୍ରୁତତମ ଦ୍ୱିଶତକ ରେକର୍ଡ କରିଛନ୍ତି। ଏହି ଯୁବ ବ୍ୟାଟର ମାତ୍ର ୧୯୪ ବଲରେ ୨୦୫ ରନ୍ କରିଥିଲେ। ସ୍ମୃତି ୧୪୯ ରନର‌ ଇନିଂସ୍ ଖେଳିଥିଲେ । ଉଭୟ ପ୍ରଥମ ଓ୍ବିକେଟରେ ୨୯୨ ରନର‌ ଭାଗିଦାରୀ କରିଥିଲେ । ମହିଳା ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଏକ ରେକର୍ଡ।

ଶେଫାଳୀ ୧୯୪ ବଲରେ ଦ୍ୱିଶତକ ହାସଲ କରି ଅଷ୍ଟ୍ରେଲିଆର ଆନ୍ନାବେଲ ସଦରଲ୍ୟାଣ୍ଡଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆନ୍ନାବେଲ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ ବଲରେ ଦ୍ୱିଶତକ ହାସଲ କରିଥିଲେ। ରେକର୍ଡ ଦ୍ୱିଶତକ ଅବସରରେ ଶେଫାଳୀ ୨୩ ଚୌକା ଓ ୮ ଛକା ମାରିଥିଲେ । ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ପରେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ୨୦ ବର୍ଷୀୟା ଶେଫାଳୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା ବ୍ୟାଟର। ମିତାଲି ଅଗଷ୍ଟ ୨୦୦୨ରେ ଟଣ୍ଟନରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୪୦୭ ବଲରେ ୨୧୪ ରନ୍ କରିଥିଲେ।

ଭାରତ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ରନ୍ ସ୍କୋର କରିବାର ୮୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ରେକର୍ଡ ଇଂଲଣ୍ଡ ନାଁରେ ଥିଲା । ଇଂଲଣ୍ଡ ମହିଳା ଦଳ ୧୯୩୫ ମସିହାରେ ଖ୍ରୀଷ୍ଟଚର୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ‌ରେ ୨ ୱିକେଟ୍ ହରାଇ ୪୩୧ ରନ୍ କରିଥିଲା। ମହିଳା ଟେଷ୍ଟ ମ୍ୟାଚରେ ଦିନକରେ ୫୦୦ରୁ ଅଧିକ ରନ୍ କରିବାରେ ଭାରତ ପ୍ରଥମ ଦଳ ହୋଇଛି।

Comments are closed, but trackbacks and pingbacks are open.