ଟି-୨୦ ବିଶ୍ୱକପ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ

ବ୍ରିଜଟାଉନ୍ (ବାର୍ବାଡୋସ): ଚଳିତ ଟି-୨୦ ବିଶ୍ୱକପରେ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଫାଇନାଲ । ଏହି ଟାଇଟଲ ଲଢ଼େଇ ବାର୍ବାଡୋସର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ । ୨୦୦୭ରେ ଚାମ୍ପିୟନ ଓ ୨୦୧୪ରେ ରନର୍ସଅପ୍ ଭାରତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି। ୨୦୧୩ ପରଠାରୁ ଭାରତ ଆଉ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇନାହିଁ I ତେଣୁ ୧୧ ବର୍ଷ ଧରି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତ ନିକଟରେ ସୁଯୋଗ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ଅବତୀର୍ଣ୍ଣ ହୋଇଛି। ଉଭୟ ଦଳ ଚଳିତ ବିଶ୍ବକପରେ ଅପରାଜେୟ ରହିଛନ୍ତି। ତେଣୁ ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗତବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ବକପ୍ ପରି ଭାରତର ଟି୨୦ ବିଶ୍ବକପ୍ ଅଭିଯାନ ସମାନ ରହିଛି। ଅର୍ଥାତ୍ ଭାରତ କୌଣସି ମ୍ୟାଚ୍ ନ ହାରି ଭାରତ ଫାଇନାଲ ଖେଳିବାକୁ‌ ଯାଉଛି। ଗତବର୍ଷ ଘରୋଇ ମାଟିରେ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାଜୟ ଦଳକୁ ମର୍ମାହତ କରିଥିଲା । ୭ ମାସ ପରେ ଭାରତ ପୁଣି ଏକ ବିଶ୍ବକପ୍ ଫାଇନାଲ ଖେଳିବାକୁ ଥିବାବେଳେ ଏଥର ଆଇସିସି ଟାଇଟଲ୍ ଜିତିବା ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁବନି । ଦକ୍ଷିଣ ଆଫ୍ରିକା ଥରେ ମାତ୍ର ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଛି। ୧୯୯୮ରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ହୋଇଥିଲା ଏହି ଦଳ। ତେଣୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ଦଳ ପାଇଁ ପୁଣି ସୁଯୋଗ ଆସିଛି। ଗୟାନାରେ ଇଂଲଣ୍ଡକୁ ହରାଇବା ଓପରେ ରୋହିତ ଶର୍ମାଙ୍କ ଦଳ ଆଗାମୀ ମ୍ୟାଚ ପାଇଁ ଫେଭରିଟ୍ ବିବେଚିତ ହେଉଛି। ଏଥର ଭାରତ ବିଶ୍ବକପ ଚାମ୍ପିୟନ ହେଲେ ତାହା ହେବ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ଉପଯୁକ୍ତ ବିଦାୟୀ ଭେଟି। କାରଣ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଛି। ୨୦୦୭ ଦିନିକିଆ ବିଶ୍ୱକପରେ ଡ୍ରାଭିଡଙ୍କ ନେତୃତ୍ୱରେ ଖେଳିଥିବା ଭାରତୀୟ ଦଳ ଏହି ଓ୍ବେଷ୍ଟଇଣ୍ଡିଜ ମାଟିରେ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଏଥର କୋଚ୍ ଭାବେ ସେହି ମାଟିରେ ଚାମ୍ପିୟନ ହେବା ପାଇଁ ବଡ଼ ଉପଲବ୍ଧି। ଦୀର୍ଘ ୧୦ ବର୍ଷ ବ୍ୟବଧାନରେ ଭାରତ ଟି୨୦ ବିଶ୍ଵକପ ଖେଳିବାକୁ ଯାଉଛି। ଶେଷଥର ପାଇଁ ଭାରତୀୟ ଦଳ ୨୦୧୪ ବିଶ୍ଵକପ ଫାଇନାଲ ଖେଳି ଶ୍ରୀଲଙ୍କା ଠାରୁ ପରାଜିତ ହୋଇଥିଲା। ଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିବା ସମ୍ଭାବନା ରହିଛି। ଏଭଳି ହେଲେ ରିଜର୍ଭ ଦିବସରେ ମ୍ୟାଚ୍ ଖେଳାଯିବ । ଯଦି ରିଜର୍ଭ ଦିବସ ବି ବର୍ଷାରେ ଧୋଇ ହୋଇଯାଏ, ତେବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ।

Comments are closed, but trackbacks and pingbacks are open.