ବର୍ଷାରେ ଧସିଗଲା ଅଯୋଧ୍ୟାର ରାମପଥ, ଠାଏଁ ଠାଏଁ ଖାଲ | News Room Odisha

ବର୍ଷାରେ ଧସିଗଲା ଅଯୋଧ୍ୟାର ରାମପଥ, ଠାଏଁ ଠାଏଁ ଖାଲ

ଅଯୋଧ୍ୟା: ପ୍ରଥମ ମୌସୁମୀ ବର୍ଷାରେ ଧସି ଯାଇଛି ଅଯୋଧ୍ୟାର ରାମପଥ। ରାମ ମନ୍ଦିରକୁ ସଂଯୋଗ କରୁଥିବା ଓ ମାତ୍ର ୬ ମାସ ତଳେ ନିର୍ମାଣ ହୋଇଥିବା ‘ରାମପଥ’ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଧସି ଯାଇଥିବା ବେଳେ ଠାଏଁ ଠାଏଁ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏଭଳି ନିମ୍ନମାନର କାମ ନେଇ ଅଯୋଧ୍ୟାବାସୀ ଓ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାମ ମନ୍ଦିରକୁ ଯିବା ପାଇଁ ନିର୍ମାଣ ହୋଇଥିବା ରାମପଥ ଧସିଯିବାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ପ୍ରଶାସନ ତରଫରୁ ତରବରିଆ ଭାବରେ ଗାତ ଗୁଡ଼ିକୁ ପୋତିବାକୁ ଚେଷ୍ଟା କରାଯାଇଛି। ରାମପଥ ଅନେକ ସ୍ଥାନରେ ଧସିବା ଫଟୋ ଓ ଭିଡିଓ ଭାଇରାଲ୍ ପରେ ରାଜ୍ୟ ସରକାର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ପ୍ରକଳ୍ପ ସହ ଜଡ଼ିତ ଥିବା ୬ ଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି। ଏହାଛଡ଼ା ରାମପଥ ନିର୍ମାଣ କାର୍ଯ୍ୟର‌ ଠିକା ନେଇଥିବା ଗୁଜରାଟର ଏକ କମ୍ପାନୀକୁ ମଧ୍ୟ ନୋଟିସ ଜାରି କରାଯାଇଛି। ଅଯୋଧ୍ୟା ରାମପଥ ନିର୍ମାଣରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା।