ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନବସର ସମୟରେ ଲାଗି ହେଉଛି ପଣା ଭୋଗ | News Room Odisha

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନବସର ସମୟରେ ଲାଗି ହେଉଛି ପଣା ଭୋଗ

ପୁରୀ: ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ଚାଲିଛି ପଣାଭୋଗ l ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା ! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦରଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ l ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ l ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା l

ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ l ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି – ହେ ରାଜା ! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ l

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି l ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି l ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ l

ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ l କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ l