ଅପେକ୍ଷାର ଅନ୍ତ, ଭାରତ ଟି-୨୦ ବିଶ୍ଵ ଚାମ୍ପିୟନ | News Room Odisha

ଅପେକ୍ଷାର ଅନ୍ତ, ଭାରତ ଟି-୨୦ ବିଶ୍ଵ ଚାମ୍ପିୟନ

ବାର୍ବାଡୋସ: ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଟିମ୍ ଇଣ୍ଡିଆ ହାତରେ ତୋଳି ଧରିଛି ଆଇସିସି ଟ୍ରଫି। ରୋମାଞ୍ଚକର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଭାରତ ହୋଇଛି ଟି-୨୦ ବିଶ୍ଵ ଚାମ୍ପିୟନ । ‌ଏହି ବିଜୟ ସହ ଭାରତ ୧୧ ବର୍ଷର ଆଇସିସି ଟ୍ରଫି ମରୁଡ଼ିରେ ପୂର୍ଣ୍ଣଚ୍ଛେଦ ପକାଇଛି । ୨୦୧୩ରେ ଭାରତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ଭାରତ ୧୭ ବର୍ଷର ପ୍ରତୀକ୍ଷା ଅନ୍ତ ଘଟାଇ ଦ୍ବିତୀୟ ଥର ଲାଗି ଟି-୨୦ ବିଶ୍ବକପ ଟାଇଟଲ ଜିତିଛି। ପୂର୍ବରୁ ଭାରତ ୨୦୦୭ର ଉଦଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ପରେ ତୃତୀୟ ଦଳ ଭାବେ ଭାରତ ଦ୍ବିତୀୟ ଥର ଟି-୨୦ ବିଶ୍ଵ ଚାମ୍ପିୟନ ହୋଇଛି । ଏହାଛଡ଼ା ପ୍ରଥମ ଦଳ ଭାବେ ଭାରତ ଏକ ଟି-୨୦ ବିଶ୍ବକପରେ ଅପରାଜେୟ ରହି ଟାଇଟଲ୍ ଜିତିଛି । ବିଶ୍ବକପ୍ ଟାଇଟଲ ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତିି । ବିଶ୍ବ ବିଜେତା ହେବା ସହ ଭାରତୀୟ ଦଳ ନିଜ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ସ୍ମରଣୀୟ ବିଦାୟ ଦେଇଛି।

ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ କିନ୍ତୁ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ କୋହଲିଙ୍କ ଅର୍ଦ୍ଧଶତକ ଓ ଅକ୍ଷର ପଟେଲ‌ଙ୍କ ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୬ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଏହି ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୯ ରନ କରିବାକୁ ସମର୍ଥ ହୋଇଥିଲା। ଦକ୍ଷିଣ ଆଫ୍ରିକା ଏକଦା ବିଜୟ ଦ୍ଵାର ଦେଶରେ ପହଞ୍ଚି ଯାଇଥିଲା। ଶେଷ ୨୪ ବଲରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୨୬ ରନ୍ ଦରକାର ହେଉଥିବା ବେଳେ ହାତରେ ଥିଲା ୬ ଓ୍ବିକେଟ୍ । ଲାଗୁଥିଲା ଏଥର ମଧ୍ୟ ଭାରତ ଟ୍ରଫିରୁ ବଞ୍ଚିତ ହେବ ।‌ ହେନରିକ କ୍ଲାସେନ୍ ଧୂଆଁଧାର ବ୍ୟାଟିଂ କରି ଦଳକୁ ବିଜୟ ଅଭିମୁଖେ ଆଗେଇ ନେଉଥିବା ବେଳେ ଯଶପ୍ରୀତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ୪ ଓଭରରେ ମ୍ୟାଚ୍ ପଲଟାଇ ଦେଇଥିଲେ।

ହାର୍ଦ୍ଦିକ ଏକ ଚମତ୍କାର ବଲରେ କ୍ଲାସେନଙ୍କୁ ଆଉଟ କରାଇ ଭାରତକୁ ଠିକ୍ ସମୟରେ ଏକ ବଡ଼ ଓ୍ବିକେଟ୍ ଦେଇଥିଲେ। କ୍ଲାସେନଙ୍କ ୱିକେଟର ପତନ ପରେ ଦକ୍ଷିଣ ଆଫ୍ରିକା ଚାପରେ ଆସିଯାଇଥିଲା। ଅନ୍ତିମ ଭାଗରେ ବିପଜ୍ଜନକ ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର ଛକା ମାରିବା ଚକ୍କରରେ ବାଉଣ୍ଡାରୀ ଲାଇନରେ ସୂର୍ଯ୍ୟକୁମାରଙ୍କ ହାତରେ ଧରା ପଡ଼ିଥିଲେ । ସୂର୍ଯ୍ୟକୁମାରଙ୍କ ଅବିଶ୍ବସନୀୟ କ୍ୟାଚ ଭାରତର ବିଜୟ ରାସ୍ତା ପରିସ୍କାର କରି ଦେଇଥିଲା । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ଯ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ। କୋହଲି ପ୍ଲେୟାର ଅଫ୍ ଦି ଫାଇନାଲ ଓ ଏହି ବିଶ୍ବକପରେ ୧୫ଟି ଓ୍ବିକେଟ୍ ନେଇଥିବା ବୁମରା ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଭାରତ ମାତ୍ର ୩୪ ରନରେ ୩ ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ରୋହିତ (୯), ରିଷଭ ପନ୍ତ (୦) ଓ ସୂର୍ଯ୍ୟକୁମାର ଯାଦବ (୩) ଶୀଘ୍ର ପ୍ୟାଭିଲିୟନ ଫେରିଯାଇଥିଲେ। ତେବେ କୋହଲି (୭୬ ରନ୍, ୫୯ ବଲ୍, ୬ ଚୌକା, ୨ ଛକା) ଓ ବ୍ୟାଟିଂ କ୍ରମରେ ଆଗୁଆ ଆସିଥିବା ଅକ୍ଷର ପଟେଲ (୪୭ ରନ୍, ୩୧ ବଲ୍, ୧ ଚୌକା, ୪ ଛକା) ଚତୁର୍ଥ ଓ୍ବିକେଟରେ ଗୁରୁତ୍ୱପୂର୍ଣ୍ଣ ୭୬ ରନ୍ ଯୋଗ କରି ଭାରତୀୟ ଇନିଂସକୁ ଟ୍ରାକକୁ ଆଣିଥିଲେ। ଗ୍ରୁପ୍ ପର୍ଯ୍ୟାୟ ଓ ସୁପର-୮ ରାଉଣ୍ଡରେ ନିରାଶ କରିଥିବା କୋହଲି ଠିକଣା ସମୟରେ ଦମଦାର ବ୍ୟାଟିଂ କରି ଭାରତର ତ୍ରାଣକର୍ତ୍ତା ହୋଇଥିଲେ। ଶିବମ ଦୁବେ ମଧ୍ୟ ୨୭ ରନର ଉଲ୍ଲେଖନୀୟ ଯୋଗଦାନ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ୍ କରିଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ସ୍ପିନର କେଶବ ମହାରାଜ ଓ ଏନରିକ ନର୍ଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ।