ଅନ୍ତର୍ଜାତୀୟ ଟି-୨୦ରୁ କୋହଲି, ରୋହିତଙ୍କ ଅବସର | News Room Odisha

ଅନ୍ତର୍ଜାତୀୟ ଟି-୨୦ରୁ କୋହଲି, ରୋହିତଙ୍କ ଅବସର

ବାର୍ବାଡୋସ୍: ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ଦଳର ଦୁଇ ଭେଟେରାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି। ଫାଇନାଲରେ ଅର୍ଦ୍ଧଶତକ ସହ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା କୋହଲି ଏହି ଫର୍ମାଟରେ ଏହା ତାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବୋଲି ସ୍ପଷ୍ଟ କରିଥିଲେ ।  ସେହିପରି ରୋହିତ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ  ନିଜ ଅବସର ଘୋଷଣା କରିଥିଲେ । ଉଭୟଙ୍କ ଅଵସର‌ ସହ ଭାରତୀୟ ଟି-୨୦ ଇତିହାସରେ ଏକ ସଫଳ ଯୁଗର ଅବସାନ ଘଟିଛି। ରୋହିତ ଓ କୋହଲି ବିଶ୍ବକପ୍ ଟ୍ରଫି ସହ ଅନ୍ତର୍ଜାତୀୟ ଟି-୨୦କୁ ଅଲବିଦା କହିଛନ୍ତି।
ବିଶ୍ଵକପ୍ ଗ୍ରୁପ୍ ପର୍ଯ୍ୟାୟ ଓ ସୁପର-୮ ରାଉଣ୍ଡରେ ଫେଲ୍ ମାରିଥିବା କୋହଲି ଫାଇନାଲରେ ୭୬ ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ଵେ କୋହଲି ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକୀୟ ସହ ଭାରତ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ । ଭାରତ ଚାମ୍ପିୟନ ହେବା ପରେ କୋହଲି ନିଜର ସନ୍ନ୍ୟାସ ଘୋଷଣା କରିଥିଲେ । କୋହଲି କହିଥିଲେ, ଏହା ଥିଲା ମୋର ଶେଷ ଟି-୨୦ ବିଶ୍ୱକପ୍। ଏହା ଆମେ ହାସଲ କରିବାକୁ ଚାହୁଁଥିଲୁ । ଏହା ଭଗବାନଙ୍କ ଆର୍ଶୀବାଦ। ଦଳ ପାଇଁ ଯାହା ଆବଶ୍ୟକ ହେଉଥିଲା, ତାହା କରିଛି। ଏହା ମୋର ଦେଶ ପାଇଁ ଶେଷ ଟି-୨୦ । ବିଶ୍ଵକପ୍ ତୋଳି ଧରିବାକୁ ଚାହିଁଥିଲି। ଏବେ ପରବର୍ତ୍ତୀ ପିଢ଼ିଙ୍କୁ ବାଟ ଛାଡ଼ିବାର ସମୟ ଆସିଛି । କୋହଲି କହିଥିଲେ ଯେ, ଏହା ମୋର ଷଷ୍ଠ, କିନ୍ତୁ ରୋହିତଙ୍କ ନବମ ଟି-୨୦ ବିଶ୍ବକପ୍ ଥିଲା। ତେଣୁ ସେ (ରୋହିତ) ଏହି ବିଜୟର ହକଦାର । କୋହଲିଙ୍କ ଅବସର ଘୋଷଣା ଅଗଣିତ ପ୍ରଶଂସକଙ୍କୁ ଚକିତ ଓ ଦୁଃଖିତ କରିଛି ।
ବିରାଟଙ୍କ ସନ୍ନ୍ୟାସ ଘୋଷଣାର କିଛି ସମୟ ପରେ ରୋହିତ ଶର୍ମା ମଧ୍ୟ ଟି-୨୦ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି। ଫାଇନାଲ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ ଯେ ବିଶ୍ଵକପ୍ ବିଜୟ ଥିଲା ଏକମାତ୍ର ସ୍ବପ୍ନ। ଯାହା ଆଜି ପୂରଣ ହେଲା।  ଅବସର ପାଇଁ ଏହା ପ୍ରକୃଷ୍ଟ ସମୟ ।
କୋହଲି ୨୦୧୦ ଜୁନ ୧୨ ତାରିଖରେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବିଶ୍ଵକପ୍‌ରେ ଚାମ୍ପିୟନ ହେବା ସହ ତାଙ୍କର ଦୀର୍ଘ ୧୪ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଏହି ଫର୍ମାଟରେ ୧୨୫ଟି ମ୍ୟାଚ୍ ଖେଳି ୪୧୮୮ ରନ୍ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ୩୮ଟି ଅର୍ଦ୍ଧଶତକ ସାମିଲ ହୋଇଛି। ରୋହିତ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍(୪୨୩୧) ଓ ସର୍ବାଧିକ ଶତକ (୫) ରେକର୍ଡ ସହ ଅବସର ନେଇଛନ୍ତି। ତାଙ୍କ କ୍ୟାରିୟରରେ ୨ଟି ଟି-୨୦ ବିଶ୍ୱକପ୍ ଯୋଡି ହୋଇଛି। ପଦାର୍ପଣରେ ୨୦୦୭ ଓ ଅଧିନାୟକ ଭାବେ ୨୦୨୪ ବିଶ୍ଵକପ୍ ଜିତିଛନ୍ତି ରୋହିତ । ଏଥର ବିଶ୍ଵକପ୍‌ରେ ସେ ୧୫୬,୭୦ ଷ୍ଟ୍ରାଇକ ରେଟ୍‌ରେ ଦ୍ଵିତୀୟ ସର୍ବାଧିକ ୨୫୭ ରନ୍ ସଂଗ୍ରହ କରିଥିଲେ।