କୋହଲି, ରୋହିତଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଜାଡେଜାଙ୍କ ଅବସର | News Room Odisha

କୋହଲି, ରୋହିତଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଜାଡେଜାଙ୍କ ଅବସର

ବ୍ରିଜଟାଉନ୍: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବିଶ୍ୱକପ ବିଜୟ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଜାଡେଜା କହିଛନ୍ତି ଯେ ସେ ଟେଷ୍ଟ ଓ ଦିନିକିଆ ଖେଳିବା ଜାରି ରଖିବେ।

୩୫ ବର୍ଷୀୟ ଜାଡେଜା ଟି-୨୦ ବିଶ୍ୱକପ ଟ୍ରଫି ସହିତ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ସମ୍ପୂର୍ଣ୍ଣ କୃତଜ୍ଞତା ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଛି। ଏକ ଦୌଡ଼ୁଥିବା ଘୋଡା ପରି, ମୁଁ ଗର୍ବର ସହିତ ଦେଶକୁ ସର୍ବଦା ସର୍ବଶ୍ରେଷ୍ଠ ଦେଇଛି ଏବଂ ଅନ୍ୟ ଫର୍ମାଟରେ ମଧ୍ୟ ଏହା ଜାରି ରଖିବି।

ଘୋଡା ଚଢ଼ିବାକୁ ଭଲ ପାଉଥିବା ଜାଡେଜା କହିଛନ୍ତି, “ଟି-୨୦ ବିଶ୍ୱକପ ଜିତିବା ମୋର ସ୍ୱପ୍ନ ଥିଲା। ଏହା (ବିଶ୍ଵକପ ଜିତିବା) ମୋର ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ଶିଖର ଥିଲା । ସ୍ମୃତି, ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଜୟ ହିନ୍ଦ୍। ”

ଡିସେମ୍ବର ୬, ୧୯୮୮ରେ ଗୁଜରାଟର ଜାମନଗରରେ ଜନ୍ମଗ୍ରହଣ କରିଥିବା ଜାଡେଜା ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। ସେ ୭୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୫୧୫ ରନ୍ ସଂଗ୍ରହ କରିଥିବା ବେଳେ ୫୪ ୱିକେଟ୍ ନେଇଛନ୍ତି।

ଏଥରକୁ ମିଶାଇ ଜାଡେଜା ଭାରତ ପାଇଁ ୬ଟି ଟି-୨୦ ବିଶ୍ୱକପ୍‌ ଖେଳିଥିଲେ ଏବଂ କୋହଲି ଓ ରୋହିତଙ୍କ ପରେ ବିଶ୍ବକପ୍ ଟ୍ରଫି ସହ ବିଦାୟ ନେଇଛନ୍ତି। ଏହା ଥିଲା ଭାରତର ଦ୍ୱିତୀୟ ଟି-୨୦ ବିଶ୍ୱକପ ଟ୍ରଫି, ଯାହା ଦଳ ୧୭ ବର୍ଷ ପରେ ଜିତିଥିଲା |

ରୋହିତ, କୋହଲି ଏବଂ ଜାଡେଜାଙ୍କ ଅବସର ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ପାଇଁ ଏକ ଯୁଗର ଅବସାନ ଘଟିଛି।