ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ | News Room Odisha

ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ

ହାଥରସ (ୟୁପି): ସତସଙ୍ଗ କାର୍ଯ୍ୟକ୍ରମ ବେଳେ ଦଳାଚକଟା ଯୋଗୁଁ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାରେ ମଙ୍ଗଳବାର ଏଭଳି ଦୁଃଖଦ ଘଟଣା ଘଟିଛି । ଏହି ଅଘଟଣରେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ଅଛନ୍ତି।

ଏଟା ସିନିୟର ଏସପି ରାଜେଶ କୁମାର ସିଂଙ୍କ ସୂଚନା ମୁତାବକ ଏହି ଘଟଣା ପୁଲ୍ରାଇ ଗାଁର ଏକ ସତସଙ୍ଗରେ ଘଟିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସତସଙ୍ଗ ଶେଷ ହେବା ପରେ ଲୋକମାନେ କାର୍ଯ୍ୟକ୍ରମ ସ୍ଥଳରୁ ବାହାରକୁ ଯାଉଥିବା ବେଳେ ଦଳାଚକଟା ହୋଇଥିଲା ଓ ଲୋକମାନେ ପରସ୍ପର ଉପରେ ପଡ଼ି ଯାଇଥିଲେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାକୁ ‘ହୃଦୟ ବିଦାରକ’ ବୋଲି କହିବା ସହ ଦୁଃଖ ପ୍ରକାଶ କରିଛନ୍ତି। ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସତସଙ୍ଗରେ ଦଳାଚକଟା ଯୋଗୁଁ ଲୋକଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ପୀଡିତମାନଙ୍କୁ ଯଥାସମ୍ଭବ ସହାୟତା ପାଇଁ ଆଶ୍ଵାସନା ଦେଇଛନ୍ତି। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦,୦୦୦ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଯୋଗୀ ଅତିରିକ୍ତ ପୋଲିସ ନିର୍ଦ୍ଦେଶକ (ଆଗ୍ରା) ଏବଂ କମିଶନର (ଆଲିଗଡ) ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।