ହାଥରସ ଦଳାଚକଟା ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି, ଭୋଲେ ବାବାଙ୍କ ପାଦଧୂଳି ପାଇବା ଉଦ୍ୟମରୁ ହୋଇଥିଲା ଦଳାଚକଟା

ହାଥରସ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରାଉ ନିକଟରେ ମଙ୍ଗଳବାର ଏକ ସତସଙ୍ଗ କାର୍ଯ୍ୟକ୍ରମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଲୋକ ନିଖୋଜ ଅଛନ୍ତି।
ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି । ଆତ୍ମଘୋଷିତ ଧର୍ମଗୁରୁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରିଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏହି ଅଘଟଣ ଘଟିଥିଲା। ଏହି ସତସଙ୍ଗ କାର୍ଯ୍ୟକ୍ରମ ଆଲିଗଡରୁ ଏଟାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୪ ସନ୍ନିକଟ ସିକନ୍ଦରାଉ ସହରଠାରୁ ପ୍ରାୟ ୪ କିଲୋମିଟର ଦୂରରେ ଥିବା ଫୁଲରାଇ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ଶେଷ ହେବା ପରେ ବାବା ନାରାୟଣ ସାକାର ହରିଙ୍କ ପାଦ ଧୂଳି ପାଇବାକୁ ଲୋକଙ୍କ ଧାଁ ଦୌଡ଼ରୁ ଦଳାଚକଟା ହୋଇଥିଲା।

ବାବା ନାରାୟଣ ସାକାର ଉତ୍ତର ପ୍ରଦେଶ ପୋଲିସର ଜଣେ ପୂର୍ବତନ କର୍ମଚାରୀ । ତାଙ୍କ ପ୍ରକୃତ ନାମ ହେଉଛି ସୂରଜ ପାଲ। ୧୯୯୦ରେ ସେ ଚାକିରରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଏହାପରେ ସେ ନିଜ ନାଁ ଭୋଲେ ବାବା ଓରଫ୍ ନାରାୟଣ ସାକାର ହରି ରଖି ପ୍ରବଚନ ଓ ସତସଙ୍ଗ କାର୍ଯ୍ୟରେ ମନୋନିବେଶ କରିଥିଲେ।

ଦଳାଚକଟା ଘଟଣା ପାଇଁ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ହେଲେ ପୋଲିସ ଭୋଲେ ବାବାଙ୍କ ବିରୋଧରେ ମାମଲା ରୁଜୁ କରିନାହିଁ। ୨୦ ହଜାର ଲୋକଙ୍କ ପାଇଁ ପ୍ରଶାସନର ଅନୁମତି ଅଣାଯାଇଥିଲା। ତେବେ ସତସଙ୍ଗ ସ୍ଥଳରେ ପ୍ରାୟ ଲକ୍ଷେ ଲୋକଙ୍କ ସମାଗମ ହୋଇଥିଲା ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.