ଭାରତୀୟ ଦଳର ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିକରି ହତ୍ୟା | News Room Odisha

ଭାରତୀୟ ଦଳର ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ପୂର୍ବତନ କ୍ରିକେଟରଙ୍କୁ ଗୁଳିକରି ହତ୍ୟା

କଲମ୍ବୋ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଚଳିତ ମାସ ଶେଷ ଆଡ଼କୁ ଶ୍ରୀଲଙ୍କା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଦ୍ୱିପାକ୍ଷିକ ସିରିଜ ପୂର୍ବରୁ ଶ୍ରୀଲଙ୍କାରେ ଆଇନ ଶୃଙ୍ଖଳା ପରିସ୍ଥିତି ଚିନ୍ତା ବଢ଼ାଇଛି। ଶ୍ରୀଲଙ୍କାର ପୂର୍ବତନ ଅଣ୍ଡର-୧୯ ଅଧିନାୟକ ଧାମିକା ନିରୋଶନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪୧ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ହତ୍ୟା ପଛର କାରଣ ଜଣାପଡ଼ିନାହିଁ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି। ନିରୋଶାନ ତାଙ୍କ ପରିବାର ସହିତ ଗଲ୍ ର ଅମ୍ବାଲାଙ୍ଗୋଡା ସହରରେ ରହୁଥିଲେ। ମଙ୍ଗଳବାର ରାତିରେ ନିରୋଶାନଙ୍କୁ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ଆଗରେ ଗୁଳି କରି ହତ୍ୟା କରିଥିଲେ ଅଜଣା ଆତତାୟୀ ।

ଅଣ୍ଡର -୧୯ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଧାମିକା ନିରୋଶନଙ୍କୁ କିନ୍ତୁ ଶ୍ରୀଲଙ୍କା ଜାତୀୟ ଦଳରେ କେବେ ସୁଯୋଗ ପାଇନଥିଲେ । ସେ ୨୦୦୨ ରୁ ୨୦୦୪ ମଧ୍ୟରେ ଗଲ୍ କ୍ରିକେଟ୍ କ୍ଲବ ପାଇଁ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଏବଂ ୮ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଥିଲେ | ତାଙ୍କର ଏହି ଛୋଟ କ୍ୟାରିୟରରେ ନିରୋଶନ୍ ୨୪ ୱିକେଟ୍ ନେଇଥିବା ବେଳେ ୩୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ। ନିରୋଶାନ ୨୦୦୦ ମସିହାରେ ଶ୍ରୀଲଙ୍କା ଅଣ୍ଡର ୧୯ ଟିମ୍ ପକ୍ଷରୁ ଡେବ୍ୟୁ କରିଥିଲେ | ଦୁଇ ବର୍ଷ ପରେ ତାଙ୍କୁ ଜୁନିୟର ଦଳର ଅଧିନାୟକ ମଧ୍ୟ କରାଯାଇଥିଲା। ତେବେ ସେ ଶୀଘ୍ର ଅର୍ଥାତ୍ ୨୦୦୪ରେ କ୍ରିକେଟରୁ ଅବସର ନେଇଥିଲେ।