ଫାଇଲେରିଆ ନିରାକରଣ ଅଭିଯାନ

ବରଗଡ: ଷ୍ଟେସନ ପଡା ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇ ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଥିବା ସମସ୍ତ ତାଲିମ ପ୍ରାପ୍ତ ଔଷଧ ସେବନ କାରୀଙ୍କୁ (ଆଶା, ଅଙ୍ଗନବାଡି) ସକ୍ରିୟ ଭାବେ ଲୋକଙ୍କୁ ସଚେତନ କରିବା ସହ ବରଗଡ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଗଷ୍ଟ ୧୦ ରୁ ୧୯ ତାରିଖ ମଧ୍ୟରେ ତାଲିମ ପ୍ରାପ୍ତ ଔଷଧ ସେବନ କାରୀ ତଥା ଆଶା, ଅଙ୍ଗନବାଡି ନିଜ ଅଞ୍ଚଳର ଘରଘର ବୁଲି ପରିବାରର ସଦସ୍ୟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଶିକ୍ଷ୍ୟାନୁଷ୍ଠାନ ଗୁଡିକରେ ସମସ୍ତଙ୍କୁ ଔଷଧ ଖୁଆଇବେ । ଜିଲ୍ଲାର ପ୍ରାୟ ୧୪ ଲକ୍ଷ୍ୟ ଲୋକଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ରଖି ସମୁଦାୟ ୫୨୨୪ ଜଣ ତାଲିମ ପ୍ରାପ୍ତ ଔଷଧ ସେବନକାରୀ, ୪୮୭ ଜଣ ପ୍ରଥମ ସ୍ତରୀୟ ପର୍ଯ୍ୟବେକ୍ଷକ, ୪୮ ଗୋଟି ଦ୍ରୁତ ପ୍ରତିକ୍ରିୟ ଦଳ ନିୟୋଜିତ ଥିବା ବେଳେ ଲୋକଙ୍କ ସୁବିଧା ପାଇଁ ୧୮ ଗୋଟି କୋଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଡ଼ା. ନିରୁପମା ଷଡ଼ଙ୍ଗୀ, ଜ଼ିଲ୍ଲା ଅତିରିକ୍ତ ଜନସ୍ଵାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ) ଡ଼ା. ସାଧୁଚରଣ ଦାଶ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲାଙ୍କ ସମେତ ଜିଲ୍ଲା ପ୍ରକଳ୍ପ ପରିଚାଳକ ଗିରିଜା ପ୍ରସାଦ ମିଶ୍ର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ଆଶା ଓ ଅଙ୍ଗନବାଡି ଉପସ୍ଥିତ ରହି ସମୂହ ଔଷଧ ସେବନ କରିଥିଲେ ।

Comments are closed.